ଟାଟା କୋଭିଡ ହସପିଟାଲକୁ ଫାୟାର କର୍ମଚାରୀଙ୍କ ଦ୍ୱାରା ବିଶୋଧନ
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଏଥିନିମନ୍ତେ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଜିଲ୍ଲାବାସୀ ଭୟରେ ଦିନ କାଟୁଥିବାବେଳେ କେବେ ଏହି ଦାଉରୁ ମୁକ୍ତି ମିଳିବ, ସେଥିନିମନ୍ତେ ଦିନ ଗଣୁଛନ୍ତି । ଜିଲ୍ଲାରେ କରୋନା ଚେନକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପୁରା ଦମ୍ ରେ ଲାଗିପଡ଼ିଛନ୍ତି । ବିଭିନ୍ନ ବର୍ଗର ଅଧିକାରୀମାନଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ କରୋନା ମୁକାବିଲାରେ କାର୍ଯ୍ୟ କରିଆସୁଛନ୍ତି । ଏହାସତ୍ୱେ ବି କରୋନା ଜିଲ୍ଲାରେ ଥମିବାର ନା ଧରୁନି । ଏ ନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଫାୟାର ବିଭାଗ ପକ୍ଷରୁ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୋମବାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସପିଟାଲ, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅସ୍ଥାୟୀ କୋଭିଡ କେୟାର ହୋମ ଏବଂ ନୂଆବସଷ୍ଟାଣ୍ଡକୁ ଫାୟାର କର୍ମଚାରୀମାନଙ୍କ ଦ୍ୱାରା ବିଭିନ୍ନ ରାସାୟନିକ କେମିକାଲ ମାଧ୍ୟମରେ ବିଶୋଧନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଫାୟାର କର୍ମଚାରୀ ଚନ୍ଦ୍ରଶେଖର ସାମନ୍ତରାୟ, ଦିଲ୍ଲୀପ ନାୟକ, ଶିବ ମିଶ୍ର ଓ କିଶୋର ମାଝୀ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।