ଟାଟା ଖଣିରେ ଶ୍ରମିକ ଧାରଣା ଦ୍ୱିତୀୟ ଦିନରେ
ଯୋଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ବିଛାକୁଣ୍ଡିସ୍ଥିତ ଟାଟା କମ୍ପାନୀର ମାଙ୍ଗାନିଜ ଖଣିରେ ଶତାଧିକ ଶ୍ରମିକ ଦାବି ପୁରଣ ନହେବାରୁ ଦ୍ୱିତୀୟ ଦିନ ମଧ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିିଛି । ପ୍ରକାଶ ଯେ , ଶନିବାର ଅପରାହ୍ନ ୧ ଘଟିକା ସମୟରେ ବୋନସ ଦାବି କରି ପ୍ରାୟ ୮ଶହରୁ ଉଦ୍ଧ୍ୱର୍ ଶ୍ରମିକ ଟାଟା କମ୍ପାନୀର ବିଛାକୁଣ୍ଡିସ୍ଥିତ ଖଣି କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ । ଟାଟା କମ୍ପାନୀ ଦ୍ୱାରା ନିଯୁକ୍ତ ଖଣି ଠିକାଦାର ସଂସ୍ଥା କରୋନେସନ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍ ଟାଟା ଖଣିରେ କାର୍ଯ୍ୟ କରୁଥିବା ଖଣି ଶ୍ରମିକ ମାନଙ୍କୁ ଶତକଡା ୮.୩୩ ବୋନସ ପ୍ରଦାନ କରିବେ ବୋଲି ନିଷ୍ପତି ନେଇଥିଲେ । ମାତ୍ର ଶ୍ରମିକମାନେ ବୋନସ ପ୍ରଦାନରେ ନିଷ୍ପତି ନିଆଯାଇଥିବା ଶତକଡା ୮.୩୩ ପ୍ରତିଶତଠାରୁ ଅଧିକ ଦାବି କରିଥିଲେ ହେଁ , କମ୍ପାନୀ ଉକ୍ତ ଦାବି ପୁରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଶେଷରେ ଶ୍ରମିକମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିବା ପ୍ରକାଶ କରିଥିଲେ । ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କର ଉକ୍ତ ଦାବି ପୁରଣ ପାଇଁ ଟାଟାକମ୍ପାନୀ ପକ୍ଷରୁ କିମ୍ବା କାର୍ଯ୍ୟ କରୁଥିବା ଠିକାସଂସ୍ଥା ପକ୍ଷରୁ ଏହାର ସମାଧାନ କରାନଯିବାରୁ ଶ୍ରମିକ ମାନେ ଶନିବାର ଦିନ ମଧ୍ୟ ଏହି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଯୋଡା ଥାନା ପକ୍ଷରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।