ଟାଟା ପାୱାରର ଗ୍ରାହକ ଓ ଶ୍ରମିକ ମାରଣନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ
ବାଲେଶ୍ୱର, (ସରୋଜ ପଣ୍ଡା) : ଉତ୍ତର ଓଡିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଦାୟିତ୍ୱ ନେବା ଠାରୁ ସଂପୃକ୍ତ ୫ଟି ଜିଲ୍ଲାର ବିଦ୍ୟୁତ୍ ଗ୍ରାହକ, ଜନସାଧାରଣ ଏବଂ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିବା ବିରୋଧରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ଓ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ (ଆଇଏନଟିୟୁସି) ଏବଂ ଓଡ଼ିଶା ପାୱାର ସେକ୍ଟର ଟେକ୍ନିକାଲ କର୍ମଚାରୀ ସଂଘ (ଓପିଏସଟିଇୟୁ) ପକ୍ଷରୁ ମିଳିତ ଆନ୍ଦୋଳନର ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସଞ୍ଜିବ କୁମାର ଗିରି, ଆଇଏନଟିୟୁସି ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ଓପିଏସଟିଇୟୁ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଦାସ ପ୍ରମୁଖ ଯୋଗଦେଇ ଟାଟା ପାୱାରର ଗ୍ରାହକ ଓ ଶ୍ରମିକ ମାରଣନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଟାଟା ପାୱାର ଦାୟିତ୍ୱ ନେବା ପର ଠାରୁ ନିରବଚ୍ଛିନ୍ନ ଏବଂ ଉପଯୁକ୍ତ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇ ନାହିଁ । ଖରାପ ମିଟର ବଦଳାଇବା ନାଁରେ ଜୁଲମ କରି ଜୋରିମାନା ଆଦାୟ କରାଯାଉଛି । ଉକ୍ତ ଜୋରିମାନା ଅର୍ଥ ଟାଟା ପାୱାରର ନିଜସ୍ୱ ଖାତା କିମ୍ବା ଗ୍ରିଡକୋ ଖାତାକୁ ଯାଇଛି, ତାହା ଏକ ପ୍ରଶ୍ନବାଚୀ ହୋଇଛି ବୋଲି କଂଗ୍ରେସ ନେତାମାନେ କହିଥିଲେ । ଦୀର୍ଘ ୧୪/୧୫ ବର୍ଷ ଧରି ନେସ୍କୋର କାର୍ଯ୍ୟରତ ଥିବା ଠିକା ଶ୍ରମିକମାନଙ୍କୁ ଟିପିଏନଓଡିଏଲରେ ସ୍ଥାୟୀ ନିଯୁକ୍ତି ସହିତ ବିଦ୍ୟୁତ୍ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ଉତ୍ତରାଧିକାରୀମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ସେମାନଙ୍କର ବାକି କାର୍ଯ୍ୟକାଳର ସମସ୍ତ ମାସିକ ଦରମା ସେମାନଙ୍କ ଉତ୍ତରାଧିକାରୀଙ୍କୁ ପ୍ରଦାନ ପାଇଁ ନେତାମାନେ ଦାବି କରିଥିଲେ । ବେନିୟମ ଭାବେ ଅଧିଷ୍ଠିତ ନେସ୍କୋ / ଟିପିଏନଓଡିଏଲ ଟ୍ରଷ୍ଟ ବୋର୍ଡ କୁ ତୁରନ୍ତ ଭାଙ୍ଗିବା ସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥିରିକୃତ ସର୍ବନିମ୍ନ ମଜୁରୀ ସମସ୍ତ ବର୍ଗର ସଂପୃକ୍ତ ଠିକା କର୍ମଚାରୀଙ୍କୁ ପ୍ରଦାନ ପାଇଁ ସେମାନେ ଦାବି ଜଣାଇଥିଲେ । ଏହା ସହିତ ଟିପିଏନଓଡିଏଲରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀମାନଙ୍କୁ ଗୋଷ୍ଠୀ ବୀମା ଅର୍ନ୍ତଭୁକ୍ତ ଏବଂ ଅପ୍ରେଲ ୨୦୨୦ ମସିହା ଠାରୁ ତୁରନ୍ତ ଦରମା ନିର୍ଦ୍ଧାରଣ କରିବା ପାଇଁ ସେମାନେ କହିଥିଲେ । ବଦ୍ଧିତ ବିଦ୍ୟୁତ୍ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର, ନିରବଚ୍ଛିନ୍ନ ଭାବେ ୨୪ଘଣ୍ଟା ବିଦ୍ୟୁତ ଏବଂ ସଠିକ୍ ମିଟର ରିଡିଂ ଏବଂ ବିଲ୍ ନିର୍ଦ୍ଦିଷ୍ଟ ସମୟରେ ଯୋଗାଇ ଦେବା ଏବଂ ବିଦ୍ୟୁତ୍ ଦୁର୍ଘଟଣାରୁ ଜନସାଧାରଣ ଏବଂ ସଂପୃକ୍ତ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ଏହିଭଳି ଯୁକ୍ତିଯୁକ୍ତ ୨୪ଦଫା ଦାବୀ ନେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ, ବାଲେଶ୍ୱର ଜିଲ୍ଲା ଆଇଏନଟିୟୁସି ଏବଂ ଓଡ଼ିଶା ପାୱାର ସେକ୍ଟର ବୈଷୟକ କର୍ମଋରୀ ସଂଘ ମିଳିତ ଭାବେ ଜାନୁଗଞ୍ଜ ଗୋଲେଇସ୍ଥିତ ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଚଳିତ ମାସ ୧୫ତାରିଖ ଦିନ ଏକ ପ୍ରତିକାତ୍ମକ ଆନ୍ଦୋଳନ ପାଇଁ ନିଷ୍ପତି ନିଆଯାଇଥିବା ନେତାମାନେ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଏନଟିୟୁସି ଜିଲ୍ଲା ଯୁବ ସଭାପତି ବିକାଶ କୁମାର ଦାସ, ଯୁବ କଂଗ୍ରେସ ଜିଲ୍ଲା ସଭାପତି ରଞ୍ଜନ କୁମାର ଦାସ, ମହିଳା ଆଇଏନଟିୟୁସି ଜିଲ୍ଲା ସଭାନେତ୍ରୀ ବାସନ୍ତୀ ସାମଲ,ପିସିସି ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଗୋପୀନାଥ ପାଢୀଙ୍କ ସମେତ ରମେଶ ଚନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ମହାନ୍ତି, ମୁନିନ୍ଦ୍ର ଦାସ, ଜୀବନ ବେହେରା ପ୍ରମୁଖ ଓପିଏସଟିଇୟୁ ସଦସ୍ୟ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।