‘ଟାଟା ପାୱାର’ କର୍ମଚାରୀ ମାରଣ ନୀତିର ପ୍ରତିବାଦ: ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ କର୍ପୋରେଟ କାର୍ଯ୍ୟାଳୟ ଘେରାଓ 

ବାଲେଶ୍ୱର, (ସରୋଜ ପଣ୍ଡା ): ବିଭିନ୍ନ ଦାବି ନେଇ ‘ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତଥା ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ୍ୟ’ପକ୍ଷରୁ ରେମୁଣା ଗୋଳେଇସ୍ଥିତ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) କର୍ପୋରୋଟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସଂଗଠନର ବରିଷ୍ଠ କର୍ମକର୍ତ୍ତା ଜିତେନ୍ଦ୍ର ମୋହନ ଜେନା, ଚିତ୍ତରଂଜନ ପଢ଼ିଆରୀ, ସାଂଗଠନିକ ସମ୍ପାଦକ ବଟକୃଷ୍ଣ ଜେନା, ଆଞ୍ଚଳିକ ସମ୍ପାଦକ ପ୍ରଦୀପ କୁମାର ଦାସ, ସାଂଗଠନିକ ସମ୍ପାଦକ ହରିଶ୍ଚଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଶ୍ରମିକ କର୍ମଚାରୀଙ୍କ ପ୍ରତି ଟାଟା ପାୱାରର ଉଦାସୀନତା ତଥା ଶୋଷଣ ମନୋଭାବକୁ ତୀବ୍ର ସମାଲୋଚନା କରିଥିଲେ । ଟାଟା ପାୱାର ଉତ୍ତର ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେବାଠାରୁ ଶ୍ରମିକ କର୍ମଚାରୀଙ୍କ ଜୀବନ ଜୀବିକା ଅସୁରକ୍ଷିତ ହୋଇ ପଡ଼ିଥିବା ସେମାନେ କ୍ଷୋଭର ସହ ପ୍ରକାଶ କରିଥିଲେ ।୧୫ବର୍ଷରୁ ଅଧିକ କାଳ ଧରି କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପରିବର୍ତ୍ତେ କର୍ତ୍ତୃପକ୍ଷ ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବା କେତେ ଯୁକ୍ତିସଙ୍ଗତ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହା ଦ୍ୱାରା ସମ୍ପୃକ୍ତ କର୍ମଚାରୀଙ୍କ ବରିଷ୍ଠତା ହ୍ରାସ ପାଇବା ସହ ସେମାନେ ଶ୍ରମ ଆଇନ ଭିତ୍ତିକ ସମସ୍ତ ସବିଧାରୁ ବଞ୍ଚିିତ ହେବା ନିଶ୍ଚିତ ବୋଲି କର୍ମକର୍ତ୍ତାମାନେ କହିଥିଲେ । କର୍ତ୍ତୃପକ୍ଷ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଓ ନୂତନ ପଦ ପଦବୀରେ ଅଧିକାରୀ ଏବଂ କର୍ମଚାରୀ ନିଯୁକ୍ତି କରି ଚାଲିଥିବା ବେଳେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ସେମାନେ ଦାବି କରିଥିଲେ । କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଖଣ୍ଡ ସମ୍ପାଦକ ଗୋପାଳ ମାଲାକାର, ଅଫିସ ସମ୍ପାଦକ ସୋମଳିତ ମହାନ୍ତି, ତନ୍ମୟ ମହାନ୍ତି, ସଂଜୟ କୁମାର ପ୍ରଧାନ, କାର୍ତ୍ତକେଶ୍ୱର ପାଣ୍ଡବ, ହରିଶଙ୍କର ସାହୁ, ପ୍ରଶାନ୍ତ କୁମାର ପରିଡ଼ା, ମନୋଜ ସାହୁ, ହେମନ୍ତ କୁମାର ଚଣ୍ଡା, ରାଜୀବ ଲୋଚନ ରାଉତ, ବିଶେଶ୍ୱର ସେନାପତି, ଭବାନୀଶଙ୍କର ଜେନା, ଅଶୋକ ସାହୁ,ସୁକାନ୍ତ କୁମାର ଜେନା, ବିଜୟ କୁମାର ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ଟାଟା ପାୱାରର ବେଆଇନ କାର୍ଯ୍ୟଧାରାକୁ ଦୃଢ଼ ପ୍ରତିବାଦ କରିଥିଲେ । ଆଜି କେବଳ ଗୋଟିଏ ଦିନର ଆନ୍ଦୋଳନ ଦ୍ୱାରା କମ୍ପାନି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦିଆଯାଇଥବା ସେମାନେ କହିଥିଲେ । କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ଗ୍ରହଣ ନକଲେ ଆଗମୀ ଦିନରେ ସଂଗଠନ ଅନିର୍ଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନ ଜାରି ରଖିବ ବୋଲି ସଂଗଠନ ପକ୍ଷରୁ ଏହି ପ୍ରତିବାଦ ସଭାରେ ଘୋଷଣା କରାଯାଇଥିଲା । ଏହି ଅବସରରେ ସଂଗଠନ ପକ୍ଷରୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଟାଟା ପାୱାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ