ଟାଟା ଷ୍ଟିଲ୍ ସେଜ୍ ଅଞ୍ଚଳକୁ କରିଡର ନିର୍ମାଣ ନିମନ୍ତେ : ଅଞ୍ଚଳବାସୀ ପକ୍ଷରୁ ସଂପୂର୍ଣ୍ଣ ବିରୋଧ

ଛତ୍ରପୁର, (ଦେବଦତ୍ତ ମହାରଣା) : ଟାଟା ଆମ ଅଂଚଳର ବିକାଶ ସହ ନିଯୁକ୍ତି ଦେବି କହି ଆମ୍ଭ ମାନଙ୍କ ଠାରୁ ଜମି ନେଲା …… ପରେ ଶେଷରେ ଆମକୁ ଧୋକ୍କା ଦେଲା । ଏବେ ଆସିଛି ଆମ ଠାରୁ ଆହୁରୀ କିଛି ନେବି ବୋଲି । ଏହା କେବେ ହେଲେ ବରଦାସ୍ତ କରାଯିବ ନାହିଁ । ଆମକୁ ବୋମା ପକାଇ ଗାଁ ଗୁଡିକ ଶୂନ ଶାନ କଲା ପରେ ତାହାର ଯାହା କରିବାର ଅଛି କରୁ ବୋଲି କାଲୀପଲ୍ଲୀ ଗ୍ରାମରେ ଅନୁଷ୍ଠିତ ଜନଶୁଣାଣୀରେ ପଞ୍ଚାୟତବାସୀ ମାନେ ଏହାର ବିରୋଧ କରିଛନ୍ତି । ଏହା ଖୋଲା ସ୍ଥାନରେ ନକରି ଏକ କୋଠରୀ ଭିତରେ କାହିଁକି କରାଯାଉଛି ବୋଲି ମଧ୍ୟ ଲୋକେ କହିଥିଲେ । ପ୍ରଶାସନିକ ଅଧିକାରୀ ମାନେ କଂପାନୀର ସ୍ୱାର୍ଥ ନିମନ୍ତେ ଆମ ଅଂଚଳକୁ ଆସି ଭଲ କଥା କହି ବିଭିନ୍ନ ପ୍ରତିଶୃତି ଦେଇ ଆମ୍ଭ ମାନଙ୍କ ଠାରୁ ଆମ ଅଧିକାର ନେଉଛନ୍ତି । ଆମକୁ ନିଯୁକ୍ତ ଦେବା ନିମନ୍ତେ କହିଲେ ଅଧିକାରୀ ମାନେ ବିଭିନ୍ନ ଆଳ ଦେଖାଉଛନ୍ତି ବୋଲି ମଧ୍ୟ ବହୁ ବ୍ୟକ୍ତି କହିଥିଲେ । ଟାଟା ଷ୍ଟିଲ୍ ସେଜ୍ ଅଞ୍ଚଳକୁ ଉତ୍ତମ ଗମନାଗମନ ସୁବିଧା କରିଡର (ରାସ୍ତା) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଉଦ୍ଦେଶ୍ୟରେ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ ଏକ ଜନଶୁଣାଣି ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି(ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ରାଜୀବଗାନ୍ଧି ଗ୍ରାମୀଣ ସେବାକେନ୍ଦ୍ର ପରିସରରେ ଅନୁଷ୍ଠିତ ଜନଶୁଣାଣିକୁ ଅଞ୍ଚଳବାସୀ ସଂପୂର୍ଣ୍ଣ ବିରୋଧ କରିଛନ୍ତି । ନବକୃଷ୍ଣ ଚୌଧୂରୀ ଉନ୍ନୟନ ଗବେଷଣା କେନ୍ଦ୍ର (ଭୁବନେଶ୍ୱର) ସହାୟତାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଜନଶୁଣାଣିରେ କାଳିପଲ୍ଲୀ ପଞ୍ଚାୟତର ବଡପୁଟି, ବାସନପୁଟି ଏବଂ କାଳିପଲ୍ଲୀ ଗ୍ରାମବାସୀ ପ୍ରମୁଖ ଯୋଗଦେଇ ଆପତ୍ତି, ଅଭିଯୋଗ ସହ ଜନଶୁଣାଣିକୁ ବିରୋଧ କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ପୂର୍ବତନ ସରପଞ୍ଚ ସିଏଚ୍‌.କ୍ରିଷ୍ଣା ରେଡ୍ଡୀ, ବାସନପୁଟି ଗ୍ରାମ୍ୟ କମିଟି ସଭାପତି ସିଏଚ୍‌.ରଘୁନାଥ ରେଡ୍ଡୀ, ଦୁଇ ଗ୍ରାମ୍ୟ ମିଳିତରେ ଗଠନ ହୋଇଥିବା କମିଟିର ଉପଦେଷ୍ଟା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ବି.ଚନ୍ଦ୍ରମଣି ପାତ୍ର, ଜି.ଶିବ ଶଙ୍କର ରେଡ୍ଡୀ, ବି.ମୋହନ ପାତ୍ର, ଗୁରୁଦେବ ବେହେରା, ବଡପୁଟି ଗ୍ରାମ୍ୟ କମିଟି ସଭାପତି ଏସ୍‌.ମାଙ୍ଗଲେୟା ରେଡ୍ଡୀ, ପ୍ରଦୁମ୍ନ କୁମାର ସାହୁ ପ୍ରମୁଖ ନିଜ ନିଜ ଅଭିଭାଷଣରେ ବିଭିନ୍ନ ଆପତ୍ତି ଅଭିଯୋଗ ସହ ଜନଶୁଣାଣିକୁ ବିରୋଧ କରିଥିଲେ । ୧୯୯୬ ମସିହାରୁ ଏଠାରେ ଟାଟା ଷ୍ଟିଲ୍ ପ୍ଲାଣ୍ଟ କରିବା ନିମନ୍ତେ ଇଡକୋ ମାଧ୍ୟମରେ ପ୍ରାୟ ୪ ହଜାର ଏକର ଜମି ନେଇଥିଲା । ସ୍ଥାନୀୟ ଅଞ୍ଚଳରେ ଟାଟା ପ୍ଲାଣ୍ଟ କରିବ, ଜମି ହରାଇଥିବା ପରିବାରର ଜଣକୁ ଚାକିରି ଦେବ ଏବଂ ଏହାସହ ଏହି ଅଞ୍ଚଳର ବେକାର ଯୁବକ ଓ ଯୁବତୀ ଚାକିରି ପାଇବେ ବୋଲି ଅଞ୍ଚଳବାସୀ ଯେଉଁ ଆଶା ଦୀର୍ଘ ୨୫ ବର୍ଷ ହେଲା ଧୂଳିସାତ ହୋଇଛି । ପୁଣି ଏହି ଟାଟା ଷ୍ଟିଲ୍ ସେଜ୍ ଅଞ୍ଚଳକୁ ଉତ୍ତମ ଗମନାଗମନ ସୁବିଧା କରିଡର (ରାସ୍ତା) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଜନଶୁଣାଣିକୁ ସାଧାରଣରେ ଅଞ୍ଚଳବାସୀ ସହଜରେ ସେମାନଙ୍କ ଉପକାରିତା ହେବ ବୋଲି ବିଶ୍ୱାସ ଜୁଟାଇପାରୁ ନଥିବାରୁ ଏହାକୁ ସଂପୂର୍ଣ୍ଣ ବିରୋଧ କରିଛନ୍ତି । ପ୍ରଥମେ ଅଞ୍ଚଳବାସୀଙ୍କ ବିକାଶ ଏବଂ ସୁବିଧା ବିଷୟରେ ଚିନ୍ତା କରିବା ପରେ ପ୍ରଶାସନ କମ୍ପାନିର ବିକାଶ କଥା ଚିନ୍ତା କରନ୍ତୁ ବୋଲି ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଅଞ୍ଚଳବାସୀ କଡା ସମାଲୋଚନା କରିଥିଲେ । ଦୁଇ ଗ୍ରାମ୍ୟ କମିଟି ଦ୍ୱାରା ଗଠନ ହୋଇଥିବା ଏକ ଉନ୍ନୟନ କମିଟିର ଉପଦେଷ୍ଟା ଶଙ୍କର ପ୍ରସାଦ ଦାଶ ଶେଷ ଅଭିଭାଷଣରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ଯେ, ଏଠାରେ ଟାଟା ଗମନାଗମନ ସୁବିଧା କରିଡର (ରାସ୍ତା) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଉଦ୍ଦେଶ୍ୟକୁ ଆମେ ବିରୋଧ କରୁନାହୁଁ କିନ୍ତୁ ଏହାପୂର୍ବରୁ ଅଞ୍ଚଳବାସୀଙ୍କ ତିନୋଟି ଦାବିକୁ ପୂରଣ କରାଯାଉ । ଟାଟା ପ୍ଲାଣ୍ଟ୍ ପ୍ରାୟ ୧୦୦୦ ଏକର ଜମି ଆଉ ଆବଶ୍ୟକ ନଥିବା ନେଇ ଉକ୍ତ ଜମିକୁ ଛାଡି ଟାଟା ପାଚେରି ନିର୍ମାଣ କରିଛି । ଉକ୍ତ ଜମିକୁ ଟାଟା ଚାଷୀଙ୍କୁ ଫେରାଇବା ନିମନ୍ତେ ଜଣାଇଥିଲେ ସୁଦ୍ଧା ଇଡକୋ ଉକ୍ତ ଜମି ଚାଷୀକୁ ଫେରାଇବା ନିମନ୍ତେ ଡି’ ଲିମିଟେସନ୍ ନୋଟିସ୍ ବାହାର କରାଯାଉ ନାହିଁ । ଦ୍ୱିତୀୟ କଥା ହେଲା ଟାଟା ପ୍ରତିଶ୍ରୁତି ଦେଇଥିବା ଅଞ୍ଚଳବାସୀଙ୍କ ଚାକିରି ବିଷୟରେ ପ୍ରଶାସନ ହସ୍ତକ୍ଷେପ କରୁ ଏବଂ ଶେଷ କଥା ହେଲା ଏକ ଉଚ୍ଚସ୍ତରୀୟ ବୈଠକ କରି ଟାଟା, ପ୍ରଶାସନ ମିଳିତି ଆଲୋଚନା କରି ଅଞ୍ଚଳବାସୀଙ୍କୁ ସୁବିଧା ଯୋଗାଇବା ନିମନ୍ତେ ଦାବି କରିଥିଲେ । ଏହାପରେ ଆମେ ଆପେ ଆପେ ଲୋକଙ୍କୁ ସଚେତନତା କରି ଟାଟା ଷ୍ଟିଲ୍ ସେଜ୍ ଅଞ୍ଚଳକୁ ଉତ୍ତମ ଗମନାଗମନ ସୁବିଧା କରିଡର (ରାସ୍ତା) ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଉଦ୍ଦେଶ୍ୟରେ ସହମତି ଜଣାଇବୁ ବୋଲି ଶ୍ରୀ ଦାଶ କହିଥିଲେ । ଜନଶୁଣାଣି କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଥିଲେ, ଅଞ୍ଚଳବାସୀ ଉପସ୍ଥାପନ କରିଥିବା ଦାବି ଗୁଡିକ ଉପରେ ସବିଶେଷ ଆଲୋଚନା କରିବା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଟାଟା ଫେରାଇଥିବା ଜମିକୁ ଇଡକୋ ମଧ୍ୟ ଚାଷୀଙ୍କୁ ଦେବା ନିମନ୍ତେ ସୂଚନା ଦେଇଛନ୍ତି । ଏହା ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗରେ ପେଣ୍ଡିଂ ରହିଛି । ତୁରନ୍ତ ଜମି ଚାଷୀଙ୍କୁ ଫେରାଇବା ନିମନ୍ତେ ପଦକ୍ଷେପ ନିଆଯିବ । ବର୍ତ୍ତମାନ ସ୍ଥିତିରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଟାଟାରେ ନିଯୁକ୍ତି ପ୍ରକ୍ରିୟା ରହିବ । ଏହାସହ ଅନ୍ୟାନ୍ୟ ବିଷୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଛନ୍ତି । କାଳିପଲ୍ଲୀ ସରପଞ୍ଚ ଶ୍ରୀରାମଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଛତ୍ରପୁର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରାଜକିଶୋର ଜେନା, ଏସ୍‌ଡିପିଓ ଗୌତମ କିଷାନ୍‌, ଗ୍ରିନ୍ ଇଣ୍ଡିଆର ମାନସ ରଞ୍ଜନ ଖୁଣ୍ଟିଆ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ, ଚମାଖଣ୍ଡି ଥାନା ଅଧିକାରୀ ସିତାଶୁ ଶେଖର ମାନ୍ଧତାଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ