ଟାଟା ଷ୍ଟିଲ ପକ୍ଷରୁ ଖଣ୍ଡବନ୍ଧ ଓ ଯୋଡ଼ାଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଯୋଡ଼ା: ଟାଟା ଷ୍ଟିଲ ଓ ଏମ୍କ୍ୟୁ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମହିଳା ଶ୍ରମ ଶକ୍ତିକୁ ସମ୍ମାନ ଜଣାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଯାଇଛି । ଯୋଡ଼ା ଓ ଖଣ୍ଡବନ୍ଧରେ ଦୁଇଟି ମେଗା କାର୍ଯ୍ୟକ୍ରମ ସହିତ ଏହି ଦିନର ସମାପନ ହୋଇଥିଲା ।ଖଣ୍ଡବନ୍ଧ ଗ୍ରାମରେ ଏକ ମେଗା କାର୍ଯ୍ୟକ୍ରମ ସହିତ ଦିନର ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାମେବାରୀ ପୋଲିସ ଷ୍ଟେସନ୍ର ସବ୍-ଇନିସ୍ପେକ୍ଟର ସାଗରିକା ହରା ଓ ଜଳହରି ପଞ୍ଚାୟତ ସରପଞ୍ଚ ମିତା ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ପାଶ୍ୱର୍ବର୍ତ୍ତୀ ୬ଟି ଗ୍ରାମର ମହିଳା, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଟାଟା ଷ୍ଟିଲ କର୍ମଚାରୀଙ୍କୁ ମିଶାଇ ମୋଟ୍ ୬୦୦ ଜଣ ମହିଳା ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତା, ପ୍ରତିଯୋଗୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଞ୍ଚିର ଏକ କଳାକାର ଗ୍ରୁପ୍ଙ୍କ ଦ୍ୱାରା ମନ୍ତ୍ରମୁଗ୍ଧକାରୀ ଆଦିବାସୀ ନୃତ୍ୟ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।ଏହି ଅବସରରେ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ ଦ୍ୱାରା ଅଞ୍ଚଳର ଲୋକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା କିଛି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ଉଦ୍ବୋଧନ ଦେଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥିଲେ ଯେ, “ମହିଳାମାନେ ସମାଜରେ ନିଜର ପ୍ରକୃତ ସ୍ଥାନ ହାସଲ କରିବା ପାଇଁ ଆଗକୁ ଆସିବା ସହିତ କଠିନ ପରିଶ୍ରମ କରିବା ଉଚିତ” ।ସେହିପରି ଯୋଡ଼ାସ୍ଥିତ ଯୋଡ଼ା ପଶ୍ଚିମ ପ୍ରେକ୍ଷାଳୟରେ ସମାନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ ମହିଳା, ଅଙ୍ଗନବାଡ଼ି ସଦସ୍ୟ ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଟାଟା ଷ୍ଟିଲ କର୍ମଚାରୀଙ୍କୁ ମିଶାଇ ମୋଟ ୨୦୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ ।ଏହି ଅବସରରେ ସ୍ପନ୍ଦନ ମହିଳା ସମିତିର ଭାଇସ ପ୍ରେସିଡେଣ୍ଟ ଭିନିତା ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମ୍ରିଦୁଲା ମହାନ୍ତି, ପ୍ରଫେସର (ଅର୍ଥନୀତି) ସବିତା ଖଟେଇ, ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ମୁଖ୍ୟ ପରାମର୍ଶଦାତା ଦେବଜାନୀ ପଟ୍ଟନାୟକ, ଅଧୀକ୍ଷକା ରେଖା ଗୁଗୋଇ ଚେତିଆ ଓ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ପ୍ରେକ୍ଷାଳୟରେ ବିଭିନ୍ନ ମଜାକିଆ ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।