ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଏଡସ୍ ସଚେତନତା କାର୍ଯ୍ୟକ୍ରମ
ଯୋଡ଼ା,((ସମୀର କୁମାର ଦାସ): ଟାଟା ଷ୍ଟିଲର ସାମାଜିକ ଉତ୍ତରଦାୟିତ୍ୱ ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆଜି ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ଏଡସ୍ ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଟାଟା ଷ୍ଟିଲ ଫାଉଣ୍ଡେସନ୍ର ‘ରିସ୍ତା ପ୍ରକଳ୍ପ’ ପକ୍ଷରୁ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ଏଚ୍ଆଇଭି ଓ ଏଡସ୍ ସଂକ୍ରମଣ ଏବଂ ଡ୍ରଗ୍ସ ସହିତ ଏହାର ସମ୍ବନ୍ଧ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ଅଧିବେସନର ଆୟୋଜନ କରାଯାଇଥିଲା । ଏକ ଅଭିଯାନର ଅଂଶବିଶେଷ ଭାବେ ବାଂଶପାଣି, ଆଜାଦ ବସ୍ତି, ଖଣ୍ଡବନ୍ଧ, ସହିଦ ନଗର, ହନୁମାନ ହଟିଂ, ଜୁରୁଡ଼ି ହାଇ କ୍ୟାମ୍ପ, ଜଳହରି ନୂତନ କଲୋନୀ ଓ ଜୋରିବାର ସମେତ ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆୟୋଜିତ ୯ଟି ସଚେତନତା ଅଧିବେସନରେ ୧୫୦ରୁ ଊର୍ଦ୍ଧ୍ୱ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ । ଏହି ସଚେତନତା ଅଧିବେସନରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିବା ଯୁବକ ଯୁବତୀମାନଙ୍କୁ ଏଚ୍ଆଇଭି ସଂକ୍ରମଣର ନିବାରଣ ଓ ସଂକ୍ରମିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାର ଆବଶ୍ୟକତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୧୯୮୮ରେ ବିଶ୍ୱ ଏଡସ୍ ଦିବସ ଆରମ୍ଭ ହୋଇଥିବାବେଳେ ପ୍ରତି ବର୍ଷ ଡିସେମ୍ବର ୧ ତାରିଖରେ ଏହାକୁ ପାଳନ କରାଯାଇଥାଏ । ଏହା ବିଶ୍ୱର ଲୋକମାନଙ୍କୁ ଏକତ୍ର ହୋଇ ଏଚ୍ଆଇଭି ଏଡସ୍ ବିରୁଦ୍ଧରେ ସଂଗ୍ରାମ କରିବାର ସୁଯୋଗ ପ୍ରଦାନ କରିବା ସହ ସଂକ୍ରମିତ ଲୋକମାନଙ୍କୁ ସହାୟତା ମଧ୍ୟ ପ୍ରଦାନ କରିଥାଏ ।
ଯୋଡା, ଏଡ୍ସ ସଚେତନତା କାର୍ଯ୍ୟକ୍ରମ


