ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ାଠାରେ ସ୍ୱଚ୍ଛତା ପଖୱାଡ଼ା ଆୟୋଜିତ
ଯୋଡ଼ା, (ସମୀର କୁମାର ଦାସ):ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର) ସଂସ୍ଥା ଟାଟା ଷ୍ଟିଲ ପାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ମଙ୍ଗଳବାର ଦିନ ଯୋଡ଼ା ପୂର୍ବ ଲୌହ ଖଣି ଓ ଖଣ୍ଡବନ୍ଧ ଲୌହ ଖଣି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ପଖୱାଡ଼ା ଆୟୋଜିତ ହୋଇଯାଇଛି । ସାମାଜିକ ଦୂରତା ସମ୍ପର୍କିତ ସମସ୍ତ ନିୟମର ପାଳନ କରି ସ୍ୱଚ୍ଛତା ପଦକ୍ଷେପକୁ ଗୁରୁତ୍ୱ ଦେଇ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଯୋଡ଼ା ପୌରପାଳିକାର ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର ଏହି ସଚେତନତା ଅଭିଯାନରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅନ୍ୟ କର୍ମଚାରୀମାନଙ୍କ ସହିତ ଟିଏସ୍ଏଫ୍ ଲିଡ଼ ଇନ୍ଫ୍ରାଷ୍ଟ୍ରକ୍ଚର ଅନନ୍ତ ପଲ ଏବଂ ସୁମନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।ହନୁମାନ ହଟିଂର ଖଣ୍ଡବନ୍ଧ ବସ୍ତି ଓ ଗୁରୁଡ଼ା ମୁଣ୍ଡା ବସ୍ତି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରୁ ମୋଟ ୯୩ ଜଣ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସ୍ୱଚ୍ଛ ପରିବେଶର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ଗ୍ରାମବାସୀ, ଯୁବବର୍ଗ ଓ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।ଏହି ଦିନିକିଆ କାର୍ଯ୍ୟକ୍ରମରେ ‘ବାହ୍ୟ ମଳତ୍ୟାଗ’ ର ଅଭ୍ୟାସକୁ ଏକ ସାମାଜିକ କ୍ଷତି ରୂପେ ବର୍ଣ୍ଣନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ଏକ ସୁରକ୍ଷିତ ଏବଂ ସ୍ୱଚ୍ଛ ପରିବେଶ ଏବଂ ସୁସ୍ଥ ଜୀବନ ପାଇଁ ବ୍ୟକ୍ତିଗତ ଘରୋଇ ଶୌଚାଳୟ କିମ୍ବା ପୌରପାଳିକାର ଗୋଷ୍ଠୀ ଶୌଚାଳୟର ଉଚିତ ବ୍ୟବହାର ନିମନ୍ତେ ପରାମର୍ଶ ଦିଆଯାଇଥିଲା ।ସ୍ଥାନୀୟ ମହିଳାମାନେ ସକ୍ରିୟତାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଥିରେ ହାତ ଧୋଇବାର ବିଭିନ୍ନ ପ୍ରକ୍ରିୟା ବିଷୟରେ ଆଲୋଚନା ଓ ଏହାର ପ୍ରଦର୍ଶନ କରାଯାଇଥିଲା ।


