ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ଯୋଡ଼ା,(ସମୀର କୁମାର ଦାସ): ଡିସେମ୍ବର ୩, ୨୦୨୦: ଟାଟା ଷ୍ଟିଲର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସାର ଦୋରାବଜୀ ଟାଟା ପାର୍କ ନିକଟସ୍ଥ ଏହାର କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଏକ ହର୍ଷ ଉଲ୍ଲାସ ଭରା ଭାବ ବିନିମୟ ଅଧିବେସନର ଆୟୋଜନ କରାଯାଇଥିଲା । ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରୁ ୧୭ଜଣ ଦିବ୍ୟଙ୍ଗ ବ୍ୟକ୍ତି ଖେଳ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସହିତ ବିଭିନ୍ନ ପ୍ରକାର ହର୍ଷ ଉଲ୍ଲାସ ଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଦିବସ ପାଳନ ବ୍ୟତୀତ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଲକ୍ଷ୍ୟରେ ଆଜିର ଅଧିବେସନର ଆୟୋଜନ କରାଯାଇଥିଲା । ଏହି ଅଧିବେସନରେ ଯୋଡ଼ାସ୍ଥିତ ସଂକଳ୍ପ ଗ୍ଲୋବାଲ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଶ୍ରୀ ରଣଦୀପ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ ସମୟରେ ଅକ୍ଷମତା କେବଳ ଶାରୀରିକ ନୁହେଁ ମାନସିକ ଭାବେ ମଧ୍ୟ ସମାଜକୁ ପ୍ରଭାବିତ କରୁଛି ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଶାଖା ମୁଖ୍ୟ ଶ୍ରୀ ତନ୍ମୟ କର ଓ ବରିଷ୍ଠ କାର୍ଯ୍ୟନିର୍ବାହୀ ଶ୍ରୀ ଅମ୍ରୁତ ପୃଷ୍ଟି ସହିତ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।