ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ାଠାରେ ‘ମନ୍ଥନ ଯାତ୍ରା’ ଆୟୋଜିତ
ଯୋଡ଼ା, (ସମୀର କୁମାର ଦାସ):ଯୁବବର୍ଗଙ୍କୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଏକ ସହଭାଗୀ ଦୃଷ୍ଟିକୋଣ ଓ ସାମୂହିକ ଚିନ୍ତାଧାରାର ପରିପ୍ରକାଶ ପାଇଁ ଏକ ସାଧାରଣ ମଂଚ ପ୍ରଦାନ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଶନିବାର ଦିନ ଯୋଡ଼ାଠାରେ ଯୁବବର୍ଗଙ୍କ ନିମନ୍ତେ ‘ମନ୍ଥନ ଯାତ୍ରା’ ନାମକ ଏକ ଦିନିକିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଟାଟା ଷ୍ଟିଲ ଫାଉଣ୍ଡେସନ୍ କାର୍ଯ୍ୟାଳୟ ଓ ଯୋଡ଼ା ଆଜାଦ୍ ବସ୍ତିର ସେଣ୍ଟ ଜେଭିୟର ବିଦ୍ୟାଳୟ ପରିସରରେ ଏକକାଳୀନ ଦୁଇଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଟାଟା ଷ୍ଟିଲ ଫାଉଣ୍ଡେସନ୍ କାର୍ଯ୍ୟାଳୟରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଯଥା ପୃଥିବୀରେ ଜଳବାୟୁ ପରିବର୍ତ୍ତନ, ଉନ୍ନତମାନର ଶିକ୍ଷା, ଆତ୍ମ-ନିଯୁକ୍ତି ଇତ୍ୟାଦି ଉପରେ ଆୟୋଜିତ ଦଳଭିତ୍ତିକ ଆଲୋଚନାଚକ୍ରରେ ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ୩୦ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଥିବା କିଛି ଯୁବବର୍ଗଙ୍କ ସଫଳତାର କାହାଣୀ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଯୋଡ଼ାର ଆଜାଦ ବସ୍ତିର ସେଣ୍ଟ ଜେଭିୟର ବିଦ୍ୟାଳୟ ପରିସରରେ ଏହିଭଳି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମାନ ଆୟୋଜିତ ହୋଇଥିଲା । ଏଥିରେ ଯୋଡ଼ା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୩୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ୨୦୨୧ ମସିହା ଜାନୁଆରୀ ୧୨ ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶସାରା ଆୟୋଜିତ ହେବାକୁଥିବା ଜାତୀୟ ଯୁବ ଦିବସ ଉପଲକ୍ଷେ ଆୟୋଜିତ ହେବାକୁଥିବା ଅନ୍ଲାଇନ୍ ଯୁବ ସମ୍ମିଳନୀ ‘ଧ୍ୱନି’ରେ ଆଜିର ଦଳଭିତ୍ତିକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିବା ଯୁବକ ଯୁବତୀମାନଙ୍କୁ ମଧ୍ୟରୁ ୫ ଜଣ ଯୋଡ଼ାର ପ୍ରତିନିଧିତ୍ୱ କରିବେ । ଟାଟା ଷ୍ଟିଲ ଫାଉଣ୍ଡେସନ୍ର ଶାଖା ମୁଖ୍ୟ ଶ୍ରୀ ତନ୍ମୟ କର ଓ ରିସ୍ତାର ପୋଗ୍ରାମ୍ ମ୍ୟାନେଜର ଶ୍ରୀ ରୋହିତ ମିଞ୍ଜ, ଟିଏସ୍ଏଫ୍ ଓ ରିସ୍ତା ପ୍ରକଳ୍ପର ଅନ୍ୟ ଅଧିକାରୀଙ୍କ ସହ ମିଶି ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।


