ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଅନ୍ତର୍ଜାତୀୟ ଜନଜାତି ଦିବସ ପାଳିତ

ଯୋଡ଼ା, (ସମୀର କୁମାର ଦାସ) : ଟାଟା ଷ୍ଟିଲର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଗୁଆଳି ପଞ୍ଚାୟତର ଗନ୍ଧଲପଦା ଗ୍ରାମରେ ଅନ୍ତର୍ଜାତୀୟ ଜନଜାତି ଦିବସ ପାଳିତ ହୋଇଯାଇଛି । ପ୍ରବଳ ବର୍ଷା ସତ୍ତ୍ୱେ ପାଶ୍ୱର୍ବର୍ତ୍ତୀ ଗ୍ରାମ ଓ ଏହି ଦୁର୍ଗମ ପାହାଡ଼ିଆ ଅଞ୍ଚଳରୁ ଶତାଧିକ ଲୋକ ଏହି ଦିବସ ପାଳନ କରିବା ପାଇଁ ଗ୍ରାମରେ ଏକତ୍ରିତ ହୋଇଥିଲେ । ପାରମ୍ପାରିକ ଓ ରଙ୍ଗୀନ ପୋଷାକ ପରିଧାନ କରି ସେମାନେଏକ ଆକର୍ଷଣୀୟ ସଂଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ସହୃଦୟତାରସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ “ପାରମ୍ପାରିକ ଜ୍ଞାନର ସଂରକ୍ଷଣ ଓ ସଂଚାରଣରେ ଜନଜାତି ମହିଳାମାନଙ୍କ ଭୂମିକା” ଉପରେ ଉଦ୍‌ବୋଧନ ଦେଇ ସ୍ଥାନୀୟ ଛାତ୍ର ନେତା ସୁନୀଲ ସୁଣ୍ଡି କହିଥିଲେ ଯେ ପୈତୃକ ଜ୍ଞାନର ସଂରଣକ୍ଷରେ ଜନଜାତି ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହା ସମାଜକୁ ସେମାନଙ୍କର ମହତ୍ୱ ବିଷୟରେ ବୁଝିବାରେ ସହାୟତା କରିପାରିବ । ଏକ ସାମାଜିକ କର୍ମୀ ଜମାଦାର ମୁଣ୍ଡା କହିଛନ୍ତି ଯେ, ମହିଳାମାନେ ପାରମ୍ପାରିକ ପ୍ରାକୃତିକ ସମ୍ବଳ ଏବଂ ଜନଜାତି ଅଞ୍ଚଳକୁ ସୁରକ୍ଷା ଦେବା ବ୍ୟତୀତ ସମଗ୍ର ବିଶ୍ୱରେ ଜନଜାତିଙ୍କ ଅଧିକାରକୁ ପ୍ରତିପାଦିତ କରିଥାନ୍ତି । ଜନଜାତି ଓ ଆଦିବାସୀ ସଂସ୍କୃତି ଏବଂ ଗୋଷ୍ଠୀ ଆମ ଉତ୍ପତ୍ତିକୁ ପ୍ରତିଫଳିତ କରିବାରେ ସାହାଯ୍ୟ କରନ୍ତି । ଜନଜାତି ଲୋକଙ୍କ ଦ୍ୱାରା ଅର୍ଜିତ ଜ୍ଞାନର ସାଂସ୍କୃତିକ ଏବଂ ବୈଜ୍ଞାନିକ ସଜ୍ଞାନ ନିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହାପୂର୍ବରୁ ଦିନର ପ୍ରାରମ୍ଭରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ବାଇକ୍ ର‌୍ୟାଲିର ଆୟୋଜନ କରାଯାଇଥିଲା, ଯେଉଁଥିରେ ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବା ପାଇଁ ବହୁସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ଏହି ଦିନ ପାଳନ ଅବସରରେ ମହିଳାମାନେ ପାରମ୍ପାରିକ ଖାଦ୍ୟ ଓ ପନିପରିବା ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କଲମାଙ୍ଗ ଓ ଗନ୍ଧଲପଦା ଖଣି ଚିଫ୍ ଦୀପକ ବେହେରା, ଟାଟା ଷ୍ଟିଲ ଫାଉଣ୍ଡେସନ୍ ର ଶାଖା ମୁଖ୍ୟ ସଞ୍ଜୟ ସରଦାର, ସ୍ଥାନୀୟ ନେତା ଝରିଆ ମୁଣ୍ଡା, ଚରଣ ମୁଣ୍ଡା ଏବଂ ମାନସିଂହ ମୁଣ୍ଡା ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ