ଟାର୍ଗେଟରେ ୨୦୨୪ ଅଲିମ୍ପିକ୍ସ: ଗୋଟିଏ କ୍ରୀଡ଼ାରେ ଦାୟିତ୍ୱ ନେବ ଓଡ଼ିଶା

ଭୁବନେଶ୍ୱର : ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ା ମନ୍ତ୍ରାଳୟ ଓ ଅଲିମ୍ପିକ ସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଗୋଟିଏ ଲେଖାଏଁ କ୍ରୀଡ଼ାକୁ ଆପଣେଇବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଦାୟିତ୍ୱ ଦିଆଯାଇଛି । ସେଥିମଧ୍ୟରୁ ଓଡ଼ିଶା ଖେଳାଳି ଯେଭଳି ଗୋଟିଏ ସ୍ୱର୍ଣ୍ଣ ପଦକୁ ହାସଲ କରିବେ, ସେ ନେଇ ଖେଳାଳି ପ୍ରସ୍ତୁତ କରିବା ଲାଗି ଓଡ଼ିଶାକୁ ଗୁରୁ ଦାୟିତ୍ୱ ଅର୍ପଣ କରାଯାଇଛି । ଓଡ଼ିଶାରେ ସୃଷ୍ଟି ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ଓ ଖେଳ ପ୍ରତି ସରକାରଙ୍କ କ୍ରୀଡ଼ା ପ୍ରତି ରହିଥିବା ଉତ୍ସାହକୁ ଦୃଷ୍ଟିରେ ରଖି କେନ୍ଦ୍ର କ୍ରୀଡ଼ା ବିଭାଗ ପକ୍ଷରୁ ଏହି ଦାୟିତ୍ୱ ଓଡ଼ିଶା ଅର୍ପଣ କରାଯାଇଛି । ୨୦୨୦ ଅଲିମ୍ପିକ୍ସ ପାଇଁ ଭାରତର ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିବା ଅବସରରେ ୨୦୨୪ ଅଲିମ୍ପିକରେ ଭାରତୀୟ କ୍ରୀଡ଼ାବିତ ଯେଭଳି ସ୍ୱର୍ଣ୍ଣପଦକ ହାସଲ କରିବେ ପ୍ରତି ରାଜ୍ୟ ଗୋଟିଏ କ୍ରୀଡ଼ା ନୀତି ଆପଣାଇବାକୁ ପରାମର୍ଶ ଦେଇଥିଲେ । ଅଲିମ୍ପିକ୍ସ ଭଳି ପ୍ରତିଯୋଗିତା ଲାଗି ପ୍ରସ୍ତୁତି ହେବା ପାଇଁ ୮ ବର୍ଷ ଲାଗିଥାଏ । ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡ଼ା ନୀତିର ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସରେ ପଦକ ଲାଗି ରାଜ୍ୟଗୁଡ଼ିକ ନିର୍ଦ୍ଦିଷ୍ଟ କ୍ରୀଡ଼ା କ୍ଷେତ୍ରରେ ପ୍ରସ୍ତୁତ ହୋଇପାରିବ । କେନ୍ଦ୍ର ସରକାର ଏଥିପାଇଁ ପ୍ରଶିକ୍ଷକ ବୈଷୟିକ ସହାୟତା ଯୋଗାଇବା ସହ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ଏବଂ ଅନ୍ୟ ସ୍ଥାନକୁ ପରିଦର୍ଶନ କରିବାର ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାର ଆଗକୁ ଆସି ଗୋଟିଏ ଖେଳକୁ ବାଛିବା ଲାଗି ପରାମର୍ଶ ଦିଆଯାଇଛି ।
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ହକି, ତୀରନ୍ଦାଜ, ଦୌଡ଼କୁଦ, ବ୍ୟାଡମିଣ୍ଟନ, ବକ୍ସିଂ, ଟେବୁଲ ଟେନିସ, କୁସ୍ତି ଭାରୋତ୍ତୋଳନ, ସାଇକେଲ ଚାଳନା, ଜୁଡୋ, ନୌଚାଳନା, ଫେନସିଂ ଏବଂ ସନ୍ତରଣକୁ ନେଇ ଗୋଟିଏ କ୍ରୀଡ଼ା ତାଲିକା ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାର ସେଥିମଧ୍ୟରୁ ଗୋଟିଏ କ୍ରୀଡ଼ାକୁ ମନୋନୟନ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ୩ଟି କ୍ରୀଡ଼ାର ନାମ ଥାଇ ପ୍ରସ୍ତାବ ଦେବେ । ସେଥିମଧ୍ୟରୁ ଗୋଟିଏ କ୍ରୀଡ଼ାକୁ ବଛାଯାଇ ରାଜ୍ୟକୁ ଦାୟିତ୍ୱ ଅର୍ପଣ କରାଯିବ । କଳିଙ୍ଗ ଷ୍ଟାଡିୟମରେ ହକି, ଆଥଲେଟିକସ ଭଳି ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହୋଇଥିବା ବେଳେ ଆଗକୁ ବ୍ୟାଡମିଣ୍ଟନ ଓ ଭାରୋତ୍ତୋଳନ ହାଇପର୍ଫମାନ୍ସ କେନ୍ଦ୍ର ନିର୍ମାଣ କରାଯିବ । ଓଡ଼ିଶା ସରକାରଙ୍କ ପକ୍ଷରୁ ଦୌଡ଼କୁଦ, ହକି ଓ ବ୍ୟାଡମିଣ୍ଟନ କ୍ରୀଡ଼ା ମଧ୍ୟରୁ ଗୋଟିଏ କ୍ରୀଡ଼ାକୁ ଆପଣାଇବା ଲାଗି ଯୋଜନା କରାଯାଇଛି । ଏଥିଲାଗି ଖୁବଶୀଘ୍ର କେନ୍ଦ୍ର କ୍ରୀଡ଼ା ବିଭାଗକୁ ପ୍ରସ୍ତାବ ଦିଆଯିବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ