ଟାର୍ଗେଟ ନଥିବାରୁ କିଣାଯାଇପାରୁନାହିଁ ଧାନ : ଆତ୍ମହତ୍ୟା କରିବା ନିମନ୍ତେ ଧମକ ଦେଲେ ଚାଷୀ

ଛତ୍ରପୁର (ପ୍ରଶାନ୍ତ ମହାରଣା): ଜିଲ୍ଲାରେ ଧାନ କିଣାକୁ ନେଇ ପ୍ରତିଦିନ ଚାଷୀମାନେ ଛତ୍ରପୁର ଆସି ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଡେରା ପକାଇ ରହୁଛନ୍ତି । ଚାଷୀମାନଙ୍କ ଧାନ ଖଳାରେ ପଡ଼ିରହିଲେ ସୁ୍‌ଦ୍ଧା ସେମାନଙ୍କ ଧାନ ମଣ୍ଡି ଦ୍ୱାରା କିଣାଯାଉନାହିଁ । ଯାହାଫଳରେ ସେମାନେ ବାରମ୍ବାର ସୋସାଇଟି, ମିଲର ଓ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରସ୍ଥ ହେଲେ ସୁଦ୍ଧା ଚାଷୀମାନଙ୍କ ଗୁହାରି କେହି ଶୁଣୁନାହାନ୍ତି । ଧାନ ବିକିବା ନିମନ୍ତେ ଟୋକନ ଆସି ବହୁ ଚାଷୀଙ୍କ ଅବଧି ଶେଷ ହୋଇ ରଦ୍ଦ ହୋଇଗଲାଣି ତ ଆଉ କେତେକ ଚାଷୀଙ୍କ ଅବଧି ସରିବାକୁ ଯାଉଛି । ଏଥି ସକାଶେ ଚାଷୀମାନେ ବିଭିନ୍ନ ପ୍ରକାର ହଇରାଣ ହରକତ ରେ ଗତି କରି ଆସୁଥିଲେ ସୁଦ୍ଧା ଚାଷୀଙ୍କ ଧାନ ଟାର୍ଗେଟ ନିଥିବାରୁ କିଣାଯାଉନାହିଁ । ଯାହାଫଳରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ବିଭିନ୍ନ ସମୟରେ ରାସ୍ତାରୋକ କରୁଛନ୍ତି । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଂଚି ସେମାନଙ୍କ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ସିନା ଦେଉଛନ୍ତି ପ୍ରକୃତରେ ଚାଷୀମାନଙ୍କ ଧାନ କିଣାଯାଉନି । ଏହି ପ୍ରକାରେ ଛତ୍ରପୁର ବ୍ଲକର ଲକ୍ଷ୍ମୀପୁର ପଂଚାୟତର ୩୦ରୁ ଉର୍ଦ୍ଧ୍ୱ ଚାଷୀମାନେ ଆଜକୁ ଚାରି ଥର ହେଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରିଯାଉଥିଲେ ସୁଦ୍ଧା ସେମାନଙ୍କ ଧାନ ଏ ପର୍ଯ୍ୟନ୍ତ କିଣାଯାଇନି । ଏ ନେଇ ଆଜି ପଂଚାୟତର ଚାଷୀମାନେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ପହଂଚି ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ପ୍ରକୋଷ୍ଠ ଘେରାଉ କରିବା ସହ ସେମାନଙ୍କ ଧାନ ତୁରନ୍ତ କିଣିବା ନିମନ୍ତେ ଦାବି କରିଥିଲେ । ସେହିପରି ଛତ୍ରପୁର ବ୍ଲକ ବଡ଼ମାଧପୁର ଗ୍ରାମର ମୋହନ ବେହେରାଙ୍କ ଧାନ ବିକିବା ନିମନ୍ତେ ଟୋକନ ଆସି ଆଜି ଅବଧି ସରିବାକୁ ଯାଉଛି ସିନା ଗୋବା ସୋସାଇଟି ତାଙ୍କର ଧାନ କିଣୁନାହିଁ ବୋଲି ଅଭିଯୋଗ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମୁଣ୍ଡାଙ୍କୁ ଭେଟି ଗୁହାରି କରିଛନ୍ତି । ତାଙ୍କର ରହିଥିବା ୫୦ କ୍ୱିଂଟାଲ ଧାନ ଆଜି କିଣାନଗଲେ ସେ ଆସନ୍ତା ଦିନରେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମୁଣ୍ଡା ଚାଷୀମାନଙ୍କୁ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ଧାନ କିଣିବା ନିମନ୍ତେ ଟାର୍ଗେଟ ଆସିବା ସମ୍ଭାବନା ଅଛି, ଆସିଲେ ରହିଯାଇଥିବା ବଳକାଚାଷୀ ଧାନ ଗୁଡ଼ିକ ତୁରନ୍ତ କିଣାଯିବ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ