ଟାୱାର ଅଛି;ପାୱାର ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଦୁର୍ଗମ ଗୁମ୍ମା ଅଞ୍ଚଳରେ ଏକ ବିଏସଏନଏଲ ଟାୱାର ଦୀର୍ଘ ଦିନ ଧରି ରହି ଆସିଛି । ହେଲେ ଏହି ଟାୱାରରେ ଲୋକଙ୍କୁ ସୁବିଧା ଦେଲା ଭଳି ଆବଶ୍ୟକ ପାୱାର ନ ଥିବାରୁ ଏହା କୌଣସି ମତେ ଲୋକଙ୍କୁ ସୁବିଧା ଦେଇପାରୁ ନାହିଁ । ଘଟଣାରୁ ପ୍ରକାଶ ଗୁମ୍ମା ବ୍ଲକର ବଡକଳାକୋଟ ଠାରେ ଏକ ବିଏସଏନଏଲ ଟାୱାର ଦୀର୍ଘ ବର୍ଷ ଧରି ରହିଛି । ଏଟାରୁ ମାତ୍ର କିଛି ଦୁରରେ ତୁମ୍‌ପୋର ନାମକ ଗ୍ରାମଟି ପାହାଡ ଶିଖରରେ ରହିଛି । ଏଠାରେ ୧୫୦୦ ଲୋକ ବାସ କରନ୍ତି । ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଗ୍ରାମର ବିଭିନ୍ନ ସ୍ତରରେ ପାଠ ପଢନ୍ତି । ସମସ୍ତଙ୍କ ପାଖରେ ଅନ୍‌ଲାଇନ୍ ପାଇଁ ବ୍ୟବହାର ହେଲାଭଳି ମୋବାଇଲ୍ ରହିଛି । ତେବେ ଟାୱାର କାର୍ଯ୍ୟାକ୍ଷମ ନ ଥିବାରୁ କୌଣସି ମୋବାଇଲ୍ ବ୍ୟବହାର ଯୋଗ୍ୟ ହେଉନାହିଁ । କେବଳ ଏହି ଗ୍ରାମବାସୀଙ୍କ ଏହି ସମସ୍ୟା ନୁହଁ । ଆଖପାଖରେ ଥିବା ୫ରୁ୭ ଗୋଟି ଗ୍ରାମର ଲୋକେ ଏହି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲୋକଙ୍କ ଜରୁରୀ ଆବଶ୍ୟକତା କିମ୍ବା ସ୍ୱାସ୍ଥ୍ୟ ସେବା ତଥା ପାଠ ପଢାରେ ଅନ୍‌ଲାଇନ୍ ବ୍ୟବହାର ସମ୍ପୁର୍ଣ୍ଣ ଭାବେ ହୋଇ ପାରୁ ନାହିଁ । ଗ୍ରାମବାସୀମାନେ ବିଏସଏନଏଲ ଅଧିକାରୀଙ୍କ ଠାରୁ ଏହି ସମସ୍ୟା ଲିଖିତ ଭାବେ ବହୁ ଦିନ ତଳେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । କରୋନା ଯୋଗୁଁ ବର୍ତ୍ତମାନ ଅନ୍‌ଲାଇନ୍ ଦ୍ୱାରା ଶିକ୍ଷାଦାନ ଚାଲିଛି । ଏହି ଶିକ୍ଷାଦାନ ଦ୍ୱାରା ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନେ  ୪ରୁ୫ କିମି ପାହାଡ ଉଚ୍ଚକୁ ଯାଇ ବିପଦପୁର୍ଣ୍ଣଭାବେ ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି । ଦୁର୍ଗମ ବାନାଞ୍ଚଳରେ ବିଷାକ୍ତ ସାପ ଓ ବନ୍ୟ ଜନ୍ତିଙ୍କ ଭୟ ରହିଛି । ଛାତ୍ରଛାତ୍ରୀଙ୍କ ଏହା ଦ୍ୱାରା କୌଣସି କ୍ଷତି ଘଟିଲେ ସେଥିପାଇଁ କିଏ ଦାୟୀ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରି ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥିନେଇ ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ଦାବି କରିଥିବା ଛାତ୍ରମାନେ ହେଲେ ରୋହିତ ଗମାଙ୍ଗ,ଡେରିକ୍ସନ ଗମାଙ୍ଗ,ନିଖିଲ ଗମାହ୍‌ଗ,ବୀରଦାସ ଶବର,ଚାନ୍ଦୁ ଗମାଙ୍ଗ,ନରେନ୍ଦ୍ର ଶବର,ପ୍ରବୀର ଗମାଙ୍ଗ,ପଲ୍ଲିବାର ଗମାଙ୍ଗ ପ୍ରମୁଖ । ଅଭିଭାବକ ମାନଙ୍କ ପକ୍ଷରୁ ମୋସ୍କ ଗମାଙ୍ଗ,ଲିଙ୍ଗରାଜ ଗମାଙ୍ଗ,ଅନୁମଲ ଗମାଙ୍ଗ,ରବୋ ଗମାଙ୍ଗ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ