ଟିଏମସି ବକେୟା ଅର୍ଥ ନଦେବାରୁ ଧାରଣା ଦେଲେ ସରପଞ୍ଚ

ବାରିକପୁର,(ୱାଇଏନଏସ); କରୋନା ମହାମାରୀର ପ୍ରଥମ ଲହରୀ ୨୦୨୦ମସିହାରେ ଆସିଥିବାବେଳେ ସରକାର ସରପଞ୍ଚ ମାନଙ୍କୁ ପ୍ରବାସୀମାନଙ୍କ ଦାୟିତ୍ୱ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତ ଅଧିନ ସରପଞ୍ଚ ମାନେ ପ୍ରାୟ ୪୮ଗୋଟି ସଂଗରୋଧ ଶିବିରରେ ପ୍ରବାସୀମାନଙ୍କୁ ସେବା ଯୋଗାଇଥିଲେ । ପ୍ରାୟ ତିନିମାସ ଧରି ଟିଏମସି ଚାଲିଥିବାବେଳେ ପରେପରେ ଏହାକୁ ବନ୍ଦ କରାଯାଇଥିଲା । ଖାଦ୍ୟପେୟ ବାବଦୀୟ ସମସ୍ତ ପଞ୍ଚାୟତରେ ପ୍ରାୟ ୧କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମହାମାରୀ ବେଳେ ଦାୟିତ୍ୱ ନିର୍ବାହ କରିଥିବା ସରପଞ୍ଚ ମାନଙ୍କୁ ସରକାର ଏଯାଏଁ ବକେୟା ଅର୍ଥ ପ୍ରଦାନ କରିନାହାଁନ୍ତି । ଯଦିଓ ଖର୍ଚ୍ଚ ବାବଦୀୟ ୭୦ଭାଗରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି ତଥାପି ବକେୟା ଅର୍ଥକୁ ନେଇ ପ୍ରତିନିଧିମାନେ ଏବେ ଦ୍ୱନ୍ଦରେ ପଡିଛନ୍ତି । ଧାରଉଦ୍ଧାର କରି ଯୁଦ୍ଧକାଳୀନ ଭିତ୍ତିରେ ଟିଏମସି ସେଣ୍ଟର ଚଳାଇ ଏବେ କରଦାତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସରପଞ୍ଚ । ବକେୟା ଅର୍ଥ ପାଇଁ ଗତବର୍ଷ ସମସ୍ତ ପ୍ରତିନିଧି ମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ସୁଦ୍ଧା ଏଯାଏଁ ଅର୍ଥ ନମିଳିବାରୁ ଆଜି ଦ୍ୱିତୀୟବାର ଧାରଣା ଆରମ୍ଭ ହୋଇଛି । ଆଜି ବିଡିଓଙ୍କ ଅଫିସ ସାମ୍ନାରେ ଜଳମଣ୍ଡୁଆ ସରପଞ୍ଚ ଜଗବନ୍ଧୁ ଦାସ ପ୍ରଥମେ ଧାରଣା ଦେଇଥିଲେ । ଏହା ପରେପରେ ସରପଞ୍ଚ ବିଜୟ ସ୍ୱାଇଁ, ମନୋଜ ନାୟକ, କମଳକୁମାର ନନ୍ଦ, ପ୍ରଶାନ୍ତ ସାହୁ, ସୁବାଷ କାଣ୍ଡି ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ଧାରଣାରତ ସରପଞ୍ଚଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ ହୋଇଥିବା ସୂଚନା ମିଳିଛି । ଆସନ୍ତା ସୋମବାର ଠାରୁ ଧାରଣାକୁ ତୀବ୍ରତର କରାଯିବ ବୋଲି ସରପଞ୍ଚ ମାନଙ୍କ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ