ଟିଏମ୍ସି ପାଇଁ ରଣନୀତି ପ୍ରସ୍ତୁତ କରିବେ ପିକେ
କୋଲକାତା(ଏଜେନ୍ସି): ପୂର୍ବରୁ ନୀତିଶ୍ କୁମାରଙ୍କ ପାଇଁ କାମ କରିସାରିଥିବା ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର (ପିକେ) ଏଣିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କାମ କରିବେ । ଆଗାମୀ ଦିନରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀ ପିକେ ମମତାଙ୍କୁ ନିର୍ବାଚନୀ ରଣନୀତି ସମ୍ପର୍କରେ ପରାମର୍ଶ ଦେବେ । ମିଳିଥିବା ସୂଚନାନୁସାରେ ଗୁରୁବାର ମମତା ଓ ପ୍ରଶାନ୍ତଙ୍କ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟାର ଆଲୋଚନା ହୋଇଯିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶାନ୍ତ କିଶୋର ଜଣେ ନିର୍ବାଚନ ପରାମର୍ଶଦାତା ଭାବେ ବେଶ୍ ଜଣାଶୁଣା । ନୀତିଶଙ୍କ ପରେ ସେ ଆନ୍ଧ୍ରପ୍ରଦେଶରେ ସଦ୍ୟ ଅନୁଷ୍ଠିତ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଜଗନ ମୋହନ ରେ‡ିଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ଏହାର ପରିଣାମ ସ୍ୱରୂପ ଜଗନ ଏବେ ଆନ୍ଧ୍ରରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି । ବିହାର ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ କିଶୋର ନୀତିଶଙ୍କ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ପ୍ରଶାନ୍ତଙ୍କ ଏପ୍ରକାର ରଣନୀତିକୁ ଦୃଷ୍ଟିରେ ରଖି ମମତା ଏବେ ତାଙ୍କ ଶରଣାପନ୍ନ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ନିର୍ବାଚନ ସମୟରେ ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିବାରେ ମାହିର ପ୍ରଶାନ୍ତ କିଶୋର ଗତ ନିର୍ବାଚନଗୁଡିକରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ଏବେ ମମତା ତାଙ୍କ ଉପରେ ଭରଷା କରିଥିବାରୁ ସେ ମମତାଙ୍କ ପାଇଁ ମଧ୍ୟ ବିଜୟ ସୁନିଶ୍ଚିତ କରାଇବେ ବୋଲି ଅନୁମାନ କରାଯାଉଛି ।


