ଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ ଶୀର୍ଷକ ୱେବିନାର
ଭୁବନେଶ୍ୱର :ଲୋକ ଚରିତ୍ର ମହାନ ହେଲେ ପ୍ରଶାସନିକ କଟକଣା ବା ଆଇନର ଛାଟ ଅନାବଶ୍ୟକ । ଟିକସ ପଇଠ ପାଇଁ ସମର୍ଥ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ଉପରେ କେନ୍ଦ୍ର ପ୍ରାଣୀଧନ, ମତ୍ସ୍ୟ, ଦୁଗ୍ଧ ଉତ୍ପାଦନ ଓ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଗୁରୁତ୍ୱାରୋପ କରିଛନ୍ତି ।
ଆଜି ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର (ପିଆଇବି)ପକ୍ଷରୁ ଆୟୋଜିତ ଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ ଶୀର୍ଷକ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଷଡଙ୍ଗୀ ଏହା ପ୍ରକାଶ କରିବା ସହ ନୂତନ ଟିକସ ବ୍ୟବସ୍ଥା ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କୁ ଠାବ କରିବାରେ ବେଶ ସହାୟକ ହେବ ବୋଲି କହିଛନ୍ତି । ଏହି ନୂତନ ବ୍ୟବସ୍ଥା ଦେଶରେ କରଦାତାଙ୍କ ସଂଖ୍ୟା ବୃଦ୍ଧି କରିବା ସହ ଆୟକର ପ୍ରଶାସନକୁ ସ୍ୱଚ୍ଛ, ସୁଗମ ଓ ପାରଦର୍ଶୀ କରିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ତେବେ ବିଜ୍ଞାନ ସମ୍ମତ ଡିଜିଟାଲ ବ୍ୟବସ୍ଥା କୌଣସି ବ୍ୟକ୍ତିକୁ ସଚ୍ଚୋଟ କରିପାରିବ ନାହିଁ ବରଂ ସ୍ୱେଚ୍ଛାକୃତ ଭାବେ କର ପଇଠ କରି ଜଣେ ନିଜକୁ ଦାୟିତ୍ୱାବାନ ନାଗରିକ ଭାବେ ଗଢ଼ି ତୋଳିବା ସହ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଇପାରିବ ବୋଲି ସେ କହିଛନ୍ତି । ଏହି ୱେବିନାରରେ ଅଂଶଗ୍ରହଣ କରି ରାଜ୍ୟ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ପ୍ରଣବ କୁମାର ଦାସ କହିଲେ, ଆୟକର ପ୍ରଶାସନ କଳାଧନ ରୋକିବାରେ ବିଶେଷ ଧ୍ୟାନ ଦେଉଛି । ଡିଜିଟାଲ କର ନିର୍ଦ୍ଧାରଣ ବ୍ୟବସ୍ଥା ଯୋଗୁଁ ସମସ୍ତ ବ୍ୟବସ୍ଥା ସ୍ୱୟଂକ୍ରିୟ ହୋଇପାରିବ । ଏହା ଟିକସ ପ୍ରଶାସନ ଓ କରଦାତା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ।ଏଥିରେ ଅଂଶଗ୍ରହଣ କରି ଉତ୍କଳ ଶିଳ୍ପ ବାଣିଜ୍ୟ ମହାସଂଘ ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ଶାରଦା କହିଛନ୍ତି, ନୂତନ ଟିକସ ବ୍ୟବସ୍ଥା ଇଜ ଅଫ ଡୁଇଂ ବିଜିନେସରେ ବିଶେଷ ଭାବେ ସହାୟକ ହେବ । ଏହି ବ୍ୟବସ୍ଥାକୁ ସେ ବାଣିଜ୍ୟ ମହାସଂଘ ତରଫରୁ ସ୍ୱାଗତ କରିଥିଲେ ।
ଏଥିରେ ଅଂଶଗ୍ରହଣ କରି ସୁନାମଧନ୍ୟ ଚାଟାର୍ଡ ଆକାଉଂଟାଂଟ ଶ୍ରୀ ଅରୁଣ କୁମାର ସାବତ ନିଜର ଆୟ ନ ଲୁଚାଇ ଟିକସ ବ୍ୟବସ୍ଥାର ଆଇନ ପଦ୍ଧତି ଅନୁସରଣ କରି ସଚ୍ଚୋଟ ନାଗରିକର କର୍ତବ୍ୟ ପାଳନ ପୂର୍ବକ ଆବଶ୍ୟକ ଟିକସ ପଇଠ କରି ଅଯଥା ମନସ୍ତାପରୁ ନିସ୍ତାର ପାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଦେଶ ବର୍ତମାନ ପରିସ୍ଥିତିରେ କିପରି ଏକ ସ୍ୱାସ୍ଥ୍ୟ ସମସ୍ୟା ଓ ଜୀବିକା ସମସ୍ୟା ସହ ମୁକାବିଲା କରୁଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । ଏଭଳି ପରିସ୍ଥିତିରେ ନୂତନ କର ବ୍ୟବସ୍ଥା କରଦାତାମାନଙ୍କୁ ବିଶେଷ ସହାୟକ ହେବ ବୋଲି ଶ୍ରୀ ମାଲବ୍ୟ ମତ ବ୍ୟକ୍ତ କରିଥିଲେ । ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଗଣ ଯୋଗାଯୋଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ୱେବିନାର ପରିଚାଳନା କରିଥିଲେ । ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ବିଭିନ୍ନ ଅଧିକାରୀ, ଉଦ୍ୟୋଗୀ, ବ୍ୟବସାୟୀ, ଚାଟାର୍ଡ ଆକାଉଂଟାଂଟ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବି ଯୋଗ ଦେଇଥିଲେ ।


