ଟିପର ଚକ ତଳେ ଚାପି ହୋଇ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କୋଇଡା: ସମ୍ପର୍କୀୟ ବାହାଘରେ ଯୋଗଦେବା ପାଇଁ କିଛିଦିନ ଆଗରୁ ଉତ୍ସାହିତ ଥିଲେ। ଆଜି ଅପରାହ୍ନରେ ଖଣି ଅଂଚଳ ଦେଇ ଯାଉଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ଟିପର ଚକ ତଳେ ଚାପି ହୋଇଯାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକର ଟେନସା ଫାଣ୍ଡି ଅନ୍ତର୍ଗତ ଜିରୋ ପଏଣ୍ଟ ନିକଟରେ ଏକ ଟିପର (ଓଆର ୦୯ ଇ-୭୧୨୮) ଧକ୍କାରେ ଜୀବନ ହରାଇଛନ୍ତି ଟେନସା ଯୁବକ ଅମିତ ଗଚ୍ଚାୟତ (୨୫ )। ଅମିତଙ୍କ ସ୍ତ୍ରୀ ଟିନା ଗଚ୍ଚାୟତ (୨୩) ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀ ଅମିତ ଓ ଟିନା ଏକ ସ୍କୁଟି (ଓଡି ୧୪ଏଲ-୭୪୭୩)ରେ ନିଜର ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଗମାଣ୍ଡି ଯାଉଥିଲା ବେଳେ ଟିପର ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିର ଚକ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଅମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଟିନାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ ଟେନସା ହସପିଟାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତରିତ କରିଥିଲେ। ପାଞ୍ଚ ବର୍ଷ ପୂର୍ବରୁ ତାଙ୍କର ବାହାଘର ହୋଇଥିଲା। ଖବର ପାଇ ଲହୁଣୀପଡା ଥାନା ଟେନସା ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ମୃତଦେହ ଓ ଗାଡି ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟିପର ଚାଳକ ଫେରାର ହୋଇଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ତିନି ବର୍ଷ ତଳେ ଆଜିର ଘଟଣାସ୍ଥଳରେ ଏକ ଦୁର୍ଘଟଣାରେ ୩ ଭାଇଙ୍କ ମୃତ୍ୟୁ ଘଟିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ