‘ଟିପିଏନଓଡିଏଲ’ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଶ୍ରମିକ ସାମୁଖ୍ୟ
ବାଲେଶ୍ୱର, (ସରୋଜ ପଣ୍ଡା):ମାର୍ଚ୍ଚମାସ ଶେଷ ପୂର୍ବରୁ ଟିପିଏନଓଡିଏଲ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବିଦ୍ୟୁତ ବିଲ ଆଦାୟ ଧାରାକୁ ନେଇ ସାଧାରଣରେ ଆକ୍ରୋଶର ଶିକାର ହେଉଛନ୍ତି ବିଭାଗୀୟ କର୍ମଚାରୀମାନେ । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜୁ ଶ୍ରମିକ ସାମୁଖ୍ୟ । କାର୍ଯ୍ୟରତ କର୍ମଚାରୀଙ୍କୁ ଆବଶ୍ୟକ ସୁରକ୍ଷା ଦିଆନଗଲେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଗୁରୁବାର ଚେତାବନୀ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ କମ୍ପାନୀ କର୍ତ୍ତୃପକ୍ଷ କ୍ଷମତାଠାରୁ ଅଧିକ କାର୍ଯ୍ୟର ଚାପ ଦେବା ଏବଂ ବିଲ ଆଦାୟ ପରିମାଣ ଟାର୍ଗେଟ ଦେଉଥିଲେ ବି କର୍ମଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଏହି ବ୍ୟବସ୍ଥାର ପରିବର୍ତ୍ତନ ସହ କର୍ମଚାରୀଙ୍କୁ ଉଚିତ ସୁରକ୍ଷା ପ୍ରଦାନ କରା ନଗଲେ ଆଗାମୀ ଦିନରେ ସଂଗଠନ ଆନ୍ଦୋଳନମୁଖୀ ହେବ ବୋଲି ସଂଗଠନର କର୍ମକର୍ତ୍ତର୍ମାନେ ସୂଚନା ଦେଇଛନ୍ତି । ଗୁରୁବାର ମେଘଡମ୍ବରୁ ଅଞ୍ଚଳର ଲକ୍ଷାଧିକ ଟଙ୍କାର ବିଦ୍ୟୁତ ଦେୟ ବାକି ରଖିଥିବା ଜନୈକ ବ୍ୟକ୍ତି କର୍ମଚାରୀଙ୍କୁ ଆକ୍ରମଣ କରିଥିଲା । କର୍ମଚାରୀମାନେ ସେହି ଅଞ୍ଚଳର ଅନ୍ୟ ଲୋକଙ୍କ ଘରକୁ ବିଲ ଆଦାୟ ପାଇଁ ଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ସେଠାରେ ପହଞ୍ଚି ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଆକ୍ରମଣ କରିଥିଲା । ଏନେଇ ସାମ୍ମୁଖ୍ୟ ପକ୍ଷରୁ ସଦର ଥାନାରେ ଏକ ଲିଖିତ ଅଭଯୋଗ କରାଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ତେବେ ଟାଟା ପାୱାର ପଦସ୍ଥ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ସଂଗଠନର ସମ୍ପାଦକ ହରିଶ ଚନ୍ଦ୍ର ଦାସ, ସାଂଗଠନିକ ସମ୍ପାଦକ ବଟକୃଷ୍ଣ ଜେନା, କାର୍ଯ୍ୟାଳୟ ସମ୍ପାଦକ ସମଜିତ ମହାନ୍ତି, କୋଷାଧ୍ୟକ୍ଷ ସଂଜୟ ପ୍ରଧାନଙ୍କ ସମେତ ଦେବୀ ପ୍ରସନ୍ନ ପାଢ଼ୀ, ଚନ୍ଦନ କୁମାର ପାତ୍ର, ଅମିତ ପାଣିଗ୍ରାହୀ, ବିରଞ୍ôଚ ସୁବୁଦ୍ଧି, ବିଜନ କୁମାର ବେହେରା, ସୁଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।