ଟିଲୋ ତିନାଥେଶ୍ୱର ଶୈବପୀଠ ଉତ୍ସବ ମୁଖର, ଦେବଦମ୍ପତିଙ୍କ ବୈଦିକ ରୀତିରେ ବିବାହ ସମ୍ପନ୍ନ

ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଟିଲୋ ମାଳିସାହିସ୍ଥିତ ତିନାଥେଶ୍ୱର ଶୈବପୀଠ ଆଜି ଉତ୍ସବ ମୁଖର ହୋଇଉଠିଛି । ଆଜି ଏଠାରେ ଦେବଦେବ ମହାଦେବ ବର ଓ ମାତା ପାର୍ବତୀ କନିଆ ସାଜିଛନ୍ତି । ଏହି ଅବସରରେ ସମଗ୍ର ଅଞ୍ଚଳ ଯୋଡିମହୁରୀ, ମାଦଳ, ମୃଦଙ୍ଗ, କରତାଳି ଓ ଶଂଖଧ୍ୱନୀରେ ଉଛୁଳି ଉଠିଛି । ପ୍ରକାଶ ଯେ, ଚଳିତ ବର୍ଷ ମାଳିସାହି ଗ୍ରାମରେ ନୂତନ କରି ତ୍ରିନାଥେଶ୍ୱର ମନ୍ଦିର ପ୍ରତିଷ୍ଠା କରାଯିବା ସହ ଶିବପାର୍ବତୀଙ୍କର ବିବାହ ଉତ୍ସବ ପାଳନ କରାଯାଇଛି । ବୁଧବାର ଦେବତାଗଢିଆ ଗ୍ରାମସ୍ଥିତ ପଞ୍ଚୁକେଶ୍ୱର ଶିବମନ୍ଦିରରେ ଲଗ୍ନକାର୍ଯ୍ୟ ସଂପନ୍ନ ହୋଇଥିଲା । ଗୁରବାର ବାବାଙ୍କର ମଂଗଳକୃତ୍ୟ ଯଥାରୀତି ସମ୍ପନ୍ନ ହୋଇଥିଲା । ବିଧିପୂର୍ବକ ହଳଦି ଲେପନ କରାଯାଇ ସ୍ନାନ କରାଯାଇଥିଲା । ଦେବଦମ୍ପତ୍ତିଙ୍କର ବିବାହ ସଂପନ୍ନ ପାଇଁ ଉଭୟ ବରପିତା ପଦ୍ମନାଭ ପତି ଓ କନ୍ୟା ପିତା ଯାଦବ ବିଶ୍ୱଳ ସମସ୍ତ କାର୍ଯ୍ୟ ତୁଲାଇଥିଲେ । ବାବା ତ୍ରିନାଥେଶ୍ୱର ଓ ପାର୍ବତୀଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ ବସ୍ତ୍ର ପରିଧାନ ପୂର୍ବକ କନ୍ୟା ବେଶରେ ସଜ୍ଜିତ କରାଯାଇଥିଲା । ପରମ୍ପରା ଅନୁଯାୟୀ ଆଜି ପୂର୍ବାହ୍ନରେ ବରଧରା କରାଯାଇଥିଲା । ମଂଗଳକୃତ୍ୟ ଶେଷ ପରେ ବିଧି ମୁତାବକ ବାହାଚିନା ପଡିଥିଲା । ପଣ୍ଡିତ ଲକ୍ଷ୍ମୀଧର ପାଢୀ, ନିରାକର ପଣ୍ଡା, ସୁକାନ୍ତ କୁମାର ଦାଶ, ସଦାନନ୍ଦ ଦାଶ, ପିତାମ୍ବର ପତିଙ୍କ ଦ୍ୱାରା ସମସ୍ତ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା । ସମସ୍ତ କାର୍ଯ୍ୟରେ ଧିରେନ୍ଦ୍ର ସାମଲ, ଦେବେନ୍ଦ୍ରନାଥ ସାହୁ, କାଶିନାଥ ସାହୁ, ପଞ୍ଚାନନ ପୃଷ୍ଟି, ସଂଜୟ ସାମଲ, ମଧୁସୂଦନ ସାମଲ, ପୁରୁଷୋତ୍ତମ ସାମଲଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ । ଏହି ବିବାହ ଉତ୍ସବ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ