ଟୀକାଦାନ ଜନିତ ମୃତ୍ୟୁ ପାଇଁ ସରକାର କ୍ଷତିପୂରଣ ଦିଅନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଇନ୍‌ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ଠାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ କରୋନା ଟୀକାକରଣର ସତ୍ୟତା ଓ ଏହାର ବାସ୍ତବତାକୁ ନେଇ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି । ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁମ୍ବାଇ ହାଇକୋର୍ଟ ଓ ସୁପ୍ରିମ କୋର୍ଟର ଓକିଲ ନିଲେଶ ଓଝା ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ, ସୁପ୍ରିମ କୋର୍ଟ କହିଛନ୍ତି ଟୀକାକରଣକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ । ଯଦି ଲୋକଙ୍କ ଟିକସ ଅର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅନାବଶ୍ୟକ ଭାବେ ଲୋକଙ୍କୁ ଟୀକା ଦିଆଯାଇ ମୃତ୍ୟୁମୁଖକୁ ଠେଲାଯାଉଛି, ତେବେ ସରକାର ଏଥିପାଇଁ କ୍ଷତିପୂରଣ ଦେବେ ନା ନାହିଁ । ଆମେରିକା ଭଳି ଉନ୍ନତ ଦେଶରେ ଟୀକାକରଣ ଜନିତ ମୃତ୍ୟୁ ପାଇଁ କୋଟି କୋଟି ଟଙ୍କା କ୍ଷତିପୂରଣ ଦିଆଯାଉଛି । ଆମ ଦେଶରେ ଟୀକାକରଣ ଯୋଗୁ ପାଶ୍ୱର୍ପ୍ରତିକ୍ରିୟା ହୋଇ ଯେଉଁମାନଙ୍କ ମୃତ୍ୟୁ ଘଟୁଛି ସେମାନଙ୍କୁ କ୍ଷତିପୂରଣ ପାଇଁ ଅଦାଲତରେ ଆବେଦନ କରାଯାଇଛି । ସମ୍ମାନିତ ବକ୍ତା ଭାବେ ଡଃ ବିଶ୍ୱରୂପ ରାୟଚୌଧୁରୀ ଯୋଗଦେଇ କହିଲେ ଯେ, ମୋ ଦେଶରେ ତିନି ତିନୋଟି କୋଭିଡ଼ କେନ୍ଦ୍ର ଚାଲିଛି । ଏହି କୋଭିଡ଼ ସେଣ୍ଟରରେ ନା ମାସ୍କ ବ୍ୟବହାର ହୁଏ ନା ଶାରୀରିକ ଦୂରତା ରକ୍ଷା କରାଯାଏ । ବିନା ମାସ୍କ ଓ ଶାରୀରିକ ଦୂରତାରେ ଆମେ ୬୦ ହଜାର ରୋଗୀଙ୍କୁ ଚିକିତ୍ସା କରି ଭଲ କରିଛୁ । ଏମ୍ସର ଡ଼ାକ୍ତର ଡଃ ସଞ୍ଜୟ ରାୟ ଯୋଗଦେଇ କହିଲେ ଯେ, ୮୦ ପ୍ରତିଶତ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ହେଲା ପରେ ଆଉ ସେମାନଙ୍କୁ ଟୀକାକରଣ ଆବଶ୍ୟକତା ନାହିଁ । ଟୀକାକରଣ କବେ ସଂକ୍ରମଣକୁ ରୋକିପାରିବ ନାହିଁ, ଏହା ମୃତ୍ୟୁସଂଖ୍ୟାକୁ କମାଇପାରେ । ‘ବ୍ୟାଙ୍କୋକା ମାୟାଜାଲ’ ପୁସ୍ତକର ଲେଖକ ରବି କୋହଡ଼ ଯୋଗଦେଇ କହିଲେ ଯେ, କରୋନା ସମୟରେ ସମସ୍ତଙ୍କ ରୋଜଗାର ମାନ୍ଦା ଅବସ୍ଥାର ଶିକାର ହୋଇଥିବା ବେଳେ ଫାଇଜର ଭଳି ଟୀକା କମ୍ପାନୀ ପ୍ରତି ସେକେଣ୍ଡରେ ୭୦ ହଜାର ଟଙ୍କା ରୋଜକାର କରୁଛି । ଟୀକାକମ୍ପାନୀମାନେ ବ୍ୟବସାୟ ଦୃଷ୍ଟିରୁ ସ୍ୱାସ୍ଥ୍ୟସେବାକୁ ବିଭ୍ରାନ୍ତ କରୁଛନ୍ତି । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର, ସରକାରଙ୍କ କୋଭିଡ଼ ନିର୍ଦ୍ଦେଶକ ଡଃ ନିରୋଦ ମିଶ୍ର, ଡଃ ଭଗବାନ ପ୍ରକାଶ, ବରିଷ୍ଠ ସାମ୍ବାଦିକ ରବି ଦାସ, ବିଶିଷ୍ଟ ଆଇନଜୀବୀ ଶିବାନନ୍ଦ ରାୟ, ଓମ୍‌ସାର ପୂର୍ବତନ ସଭାପତି ମଧୁସୂଦନ ମିଶ୍ର, ଓଡ଼ିଶା ସୂଚନା ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋଜ ଜେନା, ସର୍ବୋଦୟ ନେତା ରମାକାନ୍ତ ମଣ୍ଡଳ, ଚିଟ୍‌ଫଣ୍ଡ ଆନ୍ଦୋଳନର ମଧୁସୂଦନ ବିଶ୍ୱାଳ, ଏକତା ପରିଷଦର ବିଜୟ ପ୍ରଧାନ ଓ ଡ଼ଲି ଅପା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ