ଟେକ ରଖିଲେ ଓଡିଆ ପୁଅ ଶିଳ୍ପୀ ରଣଜିତ୍ଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ସ୍ତରରେ ଓଡିଆ ପୁଅ ରଣଜିତ୍ କୁମାର ପାଣି ଓଡିଶା ପାଇଁ ସୁନାମ ଓ ଗୌରବ ଆଣି ଦେଇଛନ୍ତି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କର୍ଣ୍ଣାଟକର ହୁବଲୀ ଧରୱାଡ ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବ ଅବସରରେ ଭାସ୍କର୍ଯ୍ୟକଳା କ୍ଷେତ୍ରରେ ଓଡିଶାର ଉଦୀୟମାନ ଶିଳ୍ପୀ ରଣଜିତ୍ କୁମାର ପାଣି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ରଣଜିତ୍ଙ୍କ ଏହି ସଫଳତାକୁ ନେଇ ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ଖୋର୍ଦ୍ଧା ଶାଖାର ମିଳିତ ସହଯୋଗରେ ଆଜି ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପୀ ରଣଜିତ୍ଙ୍କୁ ପୁଷ୍ପଗୁଛ, ଅଙ୍ଗବସ୍ତ୍ର ଏବଂ ମାନପତ୍ର ଦେଇ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିପିନ୍ କୁମାର, କୁଳମଣି ମଲ୍ଲିକ, ମହାବିଦ୍ୟାଳୟର ସମ୍ପାଦକ ରବିଶଙ୍କର ଦାସ, ଭାରପ୍ରାପ୍ତ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଡଃ ସସ୍ମିତା କାମିଲା, ଲକ୍ଷ୍ମୀଧର ସ୍ୱାଇଁ, ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ରଣଜିତ୍ଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।


