ଟୋକେନ ସମସ୍ୟାରେ ଆଉଟୁ ପାଉଟୁ ଚାଷୀ

ସପ୍ତାହକ ମଧ୍ୟରେ ଧାନ ନକିଣିଲେ ସମବାୟ ଅଫିସ ତାଲା ପକାଇବେ ଚାଷୀ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ସମବାୟ ବିଭାଗରେ ଧାନ କିଣା ପ୍ରକିୟା ଚଳିତ ବର୍ଷ ଚାଷୀଙ୍କୁ ହରଡ଼ ଘଣାରେ ପକାଇଛି । ଚାଷୀ ଡ଼ିସେମ୍ବର ପ୍ରଥମ ସପ୍ତାହରୁ ଧାନ ଅମଳ କରି ସାରିଥିଲେ ସୁଦ୍ଧା ତାକୁ ସରକାରୀ ମଣ୍ଡିରେ ବିକ୍ରି କରିପାରୁନି । ସମବାୟ ଓ ଯୋଗାଣ ବିଭାଗର ଅଡ଼ୁଆ ଜାଲରେ ଛନ୍ଦି ହୋଇପଡ଼ିଛି ସାଧାରଣ ଚାଷୀଟି । ଧାନ କିଣିବା ପାଇଁ ଅନ୍‌ଲାଇନରେ ନାମ ପଂଜିକରଣ କରିଥିଲେ ସୁଦ୍ଧା ଆଜି ଯାଏଁ ସେ କେତେ ଧାନ ବିକିବାକୁ ସକ୍ଷମ ହେବ, ତାହା ସେ ଜାଣିପାରୁନି । ସମଗ୍ର ଗଂଜାମ ଜିଲ୍ଲାରେ ଡ଼ିସେମ୍ବର ୨୦ ତାରିଖରୁ ଧାନ କିଣା ଆରମ୍ଭ ହୋଇ ଗୋଟିଏ ମାସ ବିତି ସାରିଥିବା ବେଳେ ସମବାୟ ସମିତି ମାଧ୍ୟମରେ ଯୋଗାଣ ବିଭାଗ ଟ୍ରକ୍ ଟ୍ରକ୍ ଧାନ ମଧ୍ୟ କିଣି ସାରିଲାଣି ।ହେଲେ କିଣା ଯାଇଥିବା ଏହି ଟନ ଟନ ଧାନ ମଧ୍ୟରେ ପ୍ରକୃତ ଚାଷୀଙ୍କ ଧାନ କେତେ ଓ ଚାଷୀଙ୍କୁ ମୋହରା କରି ସମିତିରେ ପକାଇଥିବା ବେପାରୀଙ୍କ ଧାନ କେତେ ତାହା ସମସ୍ତେ ଉପଲବ୍ଧ କରିସାରିଲେଣି । ଏଯାବତ୍ ୩ଟି ଫେଜ୍‌ରେ ଯେତିକି ଟୋକେନ ବାହାରିଛି, ସେଥି ମଧ୍ୟରୁ୭୦% ଟୋକେନ ଚାଷୀଙ୍କୁ ମୋହରା କରି ବେପାରୀ କରୁଥିବା କିଛି ଦଲାଲଙ୍କର ବୋଲି ସ୍ପଷ୍ଟ ହେଉଛି । ଏହି ଦଲାଲ ମାନେ କିଛି ଜମି ମାଲିକଙ୍କୁ ଲୋଭ ଦେଖାଇ ସେମାନଙ୍କ ନାମରେ ଧାନ ବିକିବା ପାଇଁ ଅନ୍‌ଲାଇନ କରିଥିଲେ । ଯେଉଁ ଜମି ମାଲିକ ମାନେ ବିଲକୁ ଯାଆନ୍ତି ନାହିଁ ଅନ୍ୟକୁ ଭାଗ ବଖରା ଦେଇଦିଅନ୍ତି ସେମାନେ ଏହି ଦଲାଲଙ୍କୁ ତାଙ୍କର ଅନ୍‌ଲାଇନ ଟୋକେନ ମାଧ୍ୟମରେ କୁଇଂଟାଲ ପିଛା ୧୦୦ ଟଙ୍କା ହିସାବରେ ଦେଇ ଦେଉଛନ୍ତି । ଅପର ପକ୍ଷରେ ଏହି ଜମି ମାଲିକଙ୍କ ଜମି ଚାଷ କରିଥିବା ଭାଗ ଚାଷ କରିଥିବା ଭାଗଚାଷୀ ଏହି ଦଲାଲଙ୍କୁ ୧୨ଶହ ଟଙ୍କାରେ ଧାନ ବିକି ସର୍ବଶାନ୍ତ ହେଉଥିବା ବେଳେ ଜମି ଭାଗ ଦେଉଥିବା ଜମି ଭାଗ ଦେଇଥିବା ମାଲିକ ଓ ଦଲାଲ ମାଲାମାଲ ହେଉଛନ୍ତି । ଜଣେ ଧାନ ଦଲାଲ ଏପରି ପ୍ରାୟ ୬୦ରୁ ୭୦ ଜଣ ଜମି ମାଲିକଙ୍କ ଅନ୍‌ଲାଇନ ଟୋକେନ ଧରି ୧୨ଶହ ଟଙ୍କାରେ କିଣିଥିବା ଧାନକୁ ସମିତିରେ ୧୮ଶହ ଟଙ୍କାରେ ବିକୁଛନ୍ତି । ଏହି ୧୮ଶହ ଟଙ୍କାରୁ ଟୋକେନ ଥିବା ଜମି ମାଲିକଙ୍କୁ ଶହେ ଟଙ୍କା ଦେଇ ଅନାୟସରେ କୁଇଂଟାଲ ପ୍ରତି ୫ଶହ ଟଙ୍କା ପର୍ଯ୍ୟନ୍ତ ଲାଭ କରୁଛନ୍ତି । ଏହି ଦଲାଲ ମାନେ ମୋଟା ଅଙ୍କର ମାଲିସ କରି ସମବାୟ ସମ୍ପାଦକ ଓ ଯୋଗାଣ ବିଭାଗକୁ ହାତ କରି ସେମାନଙ୍କ ଜରିଆରେ ହୋଇଥିବା ଜମି ମାଲିକଙ୍କ ଅନ୍‌ଲାଇନ ଟୋକେନ କିପରି ଆଗେ ଆସିବ ସେ ବ୍ୟବସ୍ଥା ମଧ୍ୟ କରୁଛନ୍ତି । ମୋଟାମୋଟି କହିବାକୁ ଗଲେ କିଛି ଚାଷ କରୁଥିବା ଜମି ମାଲିକ ଓ ଦଲାଲଙ୍କ ପାଇଁ ପ୍ରକୃତ ଚାଷୀ ଆଜି ଧାନ ବିକିବାରୁ ବଂଚିତ ହୋଇଛି । ମଣ୍ଡି ଖୋଲିବାର ୧ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ୭୦% ପ୍ରକୃତ ଚାଷୀ ଟୋକେନ ପାଇବାରୁ ବଂଚିତ ହୋଇଛନ୍ତି । ନିଜର ଅଭାବ ଅସୁବିଧା, ଧାର କରଜ ମେଂଟାଇବା ପାଇଁ ବାଧ୍ୟ ହୋଇ ଏହି ଦଲାଲଙ୍କୁ ୧୨ଶହ ଟଙ୍କାରେ ଧାନ ବିକୁୂଛି । ଅପରପକ୍ଷେ ଏହି ୧୨ଶହ ଟଙ୍କାରେ କିଣାଯାଇଥିବା ଧାନକୁ ଦଲାଲ ଜଣକ ଅନାୟସରେ ଅନ୍ୟ କାହା ବ୍ୟାଙ୍କ ଖାତାରେ ପକାଇ ୧୮ଶହ ଟଙ୍କାରେ ବିକି ମାଲାମାଲ ହେଉଛି । ତେଣୁ ଟୋକେନ ବ୍ୟବସ୍ଥାର ପରିବର୍ତନ କରାଯାଇ ସମବାୟ ସମିତି ଜରିଆରେ କେଉଁ ମାନେ ପ୍ରକୃତ ଚାଷୀ ଅଥବା ନିଜେ ଚାଷ କରିଛନ୍ତି ଚିହ୍ନଟ କରି ପ୍ରଥମେ ସେମାନଙ୍କ ଧାନ କିଣିବା ପାଇଁ ଗୁରୁତ୍ୱ ଦେବାକୁ ଦାବି ଜୋର ଧରିଛି । ଯଦି ପ୍ରକୃତ ଚାଷୀଙ୍କ ଧାନ ଆସନ୍ତା ଏକ ସପ୍ତାହ ମଧ୍ୟରେ କିଣା ନଯାଏ ତାହାହେଲେ ସମବାୟ ସମିତିରେ ତାଲା ପକାଇ ଚାଷୀ ମାନେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ଏନେଇ ସ୍ଥାନୀୟ ଯୋଗାଣ ବିଭାଗୀୟ ଅଧିକାରୀ ପୁରଂଜୟ ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିଉତର ମିଳି ପାରିନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ