ଟ୍ରକ୍ ଡ୍ରାଇଭରଙ୍କୁ ୨ ଲକ୍ଷ ୫ ଶହ ଟଙ୍କା ଜରିମାନା
ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍ । ହଜାରେ, ୫ ହଜାର ନୁହେଁ ଏଥର କଟିଛି ୨ ଲକ୍ଷ ଟଙ୍କାର ଚାଲାଣ । ରାଜଧାନୀ ଦିଲ୍ଲୀର ମୁକର୍ବା ଚୌକରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୨ ଲକ୍ଷ ୫ ଶହ ଟଙ୍କାର ଚାଲାଣ କଟାଯାଇଛି । ଓଭର ଲୋଡିଂ ଏବଂ ଅନ୍ୟ ନିୟମ ଉଲ୍ଲଂଘନ ପାଇଁ ଏହି ଜରିମାନା ହାଇଛି । ହେଲେ ଡ୍ରାଇଭର ଜଣକ ଏହି ଜରିମାନା ରାଶି ଡିପୋଜିଟ କରି ନ ଥିବା ଜଣାଯାଇଛି । ଓଭର ଲୋଡିଂ ପାଇଁ ୫୬ ହଜାର ଟଙ୍କା, ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ପାଇଁ ୫ ହଜାର ଟଙ୍କା, ରେଜିଷ୍ଟ୍ରେସନ ସାର୍ଟିଫିକେଟ ନଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ଫିଟ୍ନେେସ୍ ନଥିବାରୁ ୧୦ ହଜାର ଟଙ୍କା, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା, ଇନସ୍ୟୁରାନ୍ସ ନଥିବାରୁ ୪ ହଜାର ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୦ ହଜାର ଟଙ୍କା, ଟ୍ରକରେ ମାଲ ପରିବହନ ସମୟରେ ଏହାକୁ କଭର୍ କରାଯାଇ ନ ଥିବାରୁ ୨୦ ହଜାର ଟଙ୍କା ଓ ବେଲ୍ଟ ପିନ୍ଧି ନଥିବାରୁ ୧୦୦୦ ଟଙ୍କା ଜରିମାନା ଲଗାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ଟ୍ରକ୍ ଡ୍ରାଇଭର ମୁକର୍ବା ଚୌକରୁ ମାଲ ନେଇ ଭଲସ୍ୱା ଅଞ୍ଚଳକୁ ଯାଉଥିଲା । ପୁଲିସ୍ ତାଙ୍କୁ ବାଟରେ ଅଟକାଇଥିଲା । ୯ଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ୨ଲକ୍ଷ ୫୦୦ ଟଙ୍କାର ଜାରିମାନା ହୋଇଥିଲା । ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରଠୁ ନିକଟରେ ଅନ୍ୟ ଜଣେ ଟ୍ରକ୍ ଚାଳକଙ୍କ ଉପରେ ୧ ଲକ୍ଷ ୪୧ ହଜାର ଟଙ୍କା ଜରିମାନା କରାଯାଇଥିଲା ।


