ଟ୍ରକ୍ ଧକ୍କାରେ ଛାତ୍ର ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା):ସାଙ୍ଗର ଜନ୍ମଦିନ ଅବସରରେ ତାମ୍ପରା ବୁଲିବା ଏବଂ ପାର୍ଟି କରିବା ଘଟଣା ବ୍ରହ୍ମପୁର ଡିପୋଲ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ହରିଶଙ୍କର ପଣ୍ଡାଙ୍କ ପାଇଁ ଆଜି କାଳ ହୋଇଛି । ସାଙ୍ଗ ସ୍ପନ୍ଦନ କୁମାର ଦାଶଙ୍କ ଆଜି ହେଉଛି ଜନ୍ମଦିନ।ଏହାକୁ ଖୁବ୍ ହସଖୁସିରେ ପାଳନ କରିବା ପାଇଁ ବ୍ରହ୍ମପୁର ନୀଳାଞ୍ଚଳ ନଗର ତୃତୀୟ ଲାଇନ୍ର ହରିଶଙ୍କର ପଣ୍ଡା, ୪ର୍ଥ ଲାଇନ୍ର ସ୍ୱୟଂସିଦ୍ଧ ଶତପଥୀ ଏବଂ ଖୋଡାସିଂର ସ୍ପନ୍ଦନ କୁମାର ଦାଶ ତିନିଜଣ ଦଶମ ଶ୍ରେଣୀର ଛାତ୍ର ଆଜି ଦୁଇଟି ଦୁଇଚକିଆ ଗାଡିରେ ତାମ୍ପରା ପହଞ୍ଚି ସେଠାରୁ ପୁଣି ସନ୍ଧ୍ୟାରେ ବ୍ରହ୍ମପୁର ଫେରିବାର ଥିଲା।ଓଡି୦୭ଏକ୍ସ-୪୦୪୧ ନମ୍ବର ବୁଲେଟକୁ ହରିଶଙ୍କର ଚଳାଉଥିବା ବେଳେ ପଛରେ ସ୍ପନ୍ଦନ ବସିଥିଲେ ଏବଂ ଅନ୍ୟ ଏକ ଏଭିଟୋର ଗାଡି ସ୍ୱୟଂସିଦ୍ଧରେ ବ୍ରହ୍ମପୁରକୁ ଫେରୁଥିଲେ।ଏତିକି ବେଳେ ସତ୍ୟବାଦୀନଗର ଜାତୀୟ ରାଜପଥ ଠାରେ ବୁଲେଟ୍ର ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା।ଫଳରେ ବୁଲେଟ୍ରୁ ହରିଶଙ୍କର ଓ ସ୍ପନ୍ଦନ ତଳେ ପଡିଯାଇଥିଲେ।ଯଦ୍ୱାରା ଟ୍ରକ୍ଟି ହରିଶଙ୍କର ମୁଣ୍ଡ ଉପରେ ମାଡି ଆଖି ପୁଛୁଳାକେ ଫେରାର ହୋଇଯାଇଥିଲା।ଏହାକୁ ଦେଖି ସ୍ପନ୍ଦନ ଏବଂ ପଛରୁ ଆସୁଥିବା ସ୍ୱୟଂସିଦ୍ଧ କାକୁରିତି ଛାନିଆରେ ସେଠାରୁ ଚାଲି ଯାଇଥିଲେ।ପରେ ଛାତ୍ର ତଥା ସାଙ୍ଗ ହରିଶଙ୍କର ମୃତ୍ୟୁ ଖବର ପାଇ ସ୍ପନ୍ଦନ ଓ ସ୍ୱୟଂସିଦ୍ଧ ଛତ୍ରପୁର ଡାକ୍ତରଖାନାରେ ପହଞ୍ଚି ଘଟଣା ବିଷୟରେ କହିଥିଲେ।ସୂଚନାନୁସାରେ, ଆଜି ସନ୍ଧ୍ୟାରେ ଛତ୍ରପୁର ସତ୍ୟବାଦୀନଗର ସାହି ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ଟ୍ରକ୍ ଧକ୍କାରେ ବୁଲେଟ୍ ଆରୋହୀ ତଥା ଦଶମ ଶ୍ରେଣୀ ଛାତ୍ର ହରିଶଙ୍କରଙ୍କ ମୃତ୍ୟୁ ଘଟିଛି।ମୃତ ଛାତ୍ର ଜଣକ ବ୍ରହ୍ମପୁର ନୀଳାଞ୍ଚଳନଗର ତୃତୀୟ ଲାଇନ୍ର ଓଁକାର ପଣ୍ଡାଙ୍କ ପୁତ୍ର ତଥା ଡିପୋଲ୍ ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ହରିଶଙ୍କର ପଣ୍ଡା ବୋଲି ଜଣାପଡିଛି।ମୁଣ୍ଡ ଉପରେ ଟ୍ରକ୍ ଚକା ମାଡି ଚାଲି ଯାଇଥିବାରୁ ଘଟଣା ସ୍ଥଳେ ହିଁ ଛାତ୍ର ହରିଶଙ୍କରର ମୃତ୍ୟୁ ହୋଇଛି।ଘଟଣା ସ୍ଥଳେ ପ୍ରବେସନାରୀ ଆଇପିଏସ୍ ଅଫିସର ଆର୍.ରାଗବେନ୍ଦ୍ର, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଓ ଅତିରିକ୍ତ ଥାନା ଅଧିକାରୀ ଲକ୍ଷ୍ମଣ କୁମାର ସେଠୀ ପ୍ରମୁଖ ପୁଲିସ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାପଡିଛି।ସେହିପରି ଛତ୍ରପୁର ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚାଇଥିଲେ।