ଟ୍ରକ୍ ଧକ୍କାରେ ବାଇକ ଚାଳକ ମୃତ

ଛତ୍ରପୁର,(ଦେବଦତ୍ତ ମହାରଣା): ଶନିବାର ଅପରାହ୍ନରେ ଛତ୍ରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଡିଆରଡିଏ ଛକ ଠାରେ ଟ୍ରକ୍ (ଟିଏନ ୩୪ଏଏଫ୨୬୬)ନଂ ଚକା ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଛତ୍ରପୁର ବ୍ଲକ ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମର ରାଜମିସ୍ତ୍ରୀ ସିତାରାମ ରେଡ୍ଡୀ ବୋଲି ଜଣାପଡିଛି । ପୁରୁଣା ଛତ୍ରପୁର ଗ୍ରାମ ରୁ ବାଇକ୍ ନଂ ଓଡି ୦୭ୱାଇ ୮୬୧୬ ଯୋଗେ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଛକରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପୁଲିସ ଏବଂ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଟ୍ରାଫିକ୍ ପୋଷ୍ଟ ଅଛି କିନ୍ତୁ ସେଠାରେ କୌଣସି ଟ୍ରାଫିକ୍ ପୁଲିସକୁ ମୁତୟନ କରାଯାଉ ନାହିଁ । ଏଥିସହ ବହୁବାର ଏଠାରେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଥିଲେ ଏହାକୁ କର୍ଣ୍ଣପାତ କରାଯାଉ ନାହିଁ ବୋଲି ପୁରୁଣା ଛତ୍ରପୁର ଗ୍ରାମବାସୀ, ଛତ୍ରପୁର ସହର ଏବଂ ବାସନାପଲ୍ଲୀ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ସେହିପରି ମୃତକ ପରିବାରକୁ କ୍ଷତିପୂରଣ ସହ ପରିବାର ଜଣଙ୍କୁ ଚାକିରୀ ପ୍ରଦାନ କରିବା, ସବୁ ଦିନ ଟ୍ରାଫିକ୍ ପୋଷ୍ଟରେ ନିୟମିତ ପୁଲିସ ମୁତୟନ ସହ ସିଙ୍ଗନାଲ ଲାଇଟର ବ୍ୟାବସ୍ଥା କରିବା ଏବଂ ଡିଆରଡିଏ ଓ କଲେଜ ଛକରେ ଓଭରବ୍ରିଜ୍ ନିର୍ମାଣ ଲାଗି ପ୍ରଶାସନିକ ସ୍ତରରେ ତୁରନ୍ତ ପଦକ୍ଷେପ ନେବା ପ୍ରମୁଖ ଦାବି ନେଇ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ଭାଗରଥୀ ବେହେରା, ବିଜେଡି ନେତା ଏନ.ୱାର୍ଦ୍ଧରାଜୁ ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ ଓ ଡି.ରାମସ୍ୱାମୀ ରେଡ୍ଡୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ବିଜେପି ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ୍ କୁମାର ରାଉଳ, ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା, କଣମଣା ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ, ଚିକଲଖଣ୍ଡି ପଞ୍ଚାୟତ ନାଏବ ସରପଞ୍ଚ ଟି.ନାରାୟଣଙ୍କ ସମେତ ଶତାଧିକ ଜନସାଧାରଣ ଦୀର୍ଘ ୪ ଘଣ୍ଟାରୁ ଅଧିକା ଧରି ଜାତୀୟ ରାଜପଥକୁ ଅବରୋଧ କରି ଆନ୍ଦୋଳନ କରିଥିଲେ । ଘଟଣା ସ୍ଥଳରେ ଏସ୍‌ଡିପିଓ ଗୌତମ କିଷାନ୍‌, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ପ୍ରମୁଖ ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଜିନ୍ଦରେ ଅଟଳ ରହିଥିଲେ । ବିଭିନ୍ନ ଦାବୀ ନେଇ ଏକ ଲିଖିତ ଦାବୀ ପ୍ରଶାସନ ଅଧିକାରୀଙ୍କୁ ମଧ୍ୟ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ମଧ୍ୟ ପ୍ରଦାନ କରାଯାଇଥିଲ।। ଅନ୍ୟପଟେ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଡିଆରଡିଏ ଛକ ଜାତୀୟ ରାଜପଥ ଠାରେ ଟ୍ରାଫିକ୍ ପୁଲିସ ମୁତୟନ ରହିବା ଲାଗି ଥାନା ଅଧିକାରୀ ଲିଖିତ ଭାବେ ଆନ୍ଦୋଳନକାରୀଙ୍କୁ ପ୍ରଦାନ କରିଥିଲେ । ମୃତକ ପରିବାକୁ କ୍ଷତିପୂରଣ ବାବଦରେ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ । ଏଠାରେ ଓଭରବ୍ରିଜ୍ ନିର୍ମାଣ ଲାଗି ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ବୋଲି ଆନ୍ଦୋଳନକାରୀଙ୍କୁ ପୁଲିସ ଓ ପ୍ରଶାସନ ଅଧିକାରୀମାନେ ବୁଝାଇଥିଲେ । ସେହିପରି ରେଡ୍‌କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ତହସିଲଦାର ପ୍ରଦାନ କରିଥିଲେ । ଏହାପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ