ଟ୍ରକ୍ ସହ ବାଇକ ଧକ୍କା – ବାଇକ ଚାଳକ ମୃତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରବିବାର ରାତି ପ୍ରାୟ ସାଢେ ୯ଟାରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଟ୍ରକ ସହ ବାଇକର ଧକ୍କା ଘଟିଛି । ଦୂର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବ୍ରହ୍ମପୁର ବଡ଼ ବଜାର ଥାନା ସୋମନାଥ ନଗରର ଶରତ ମହାରଣା (୩୮) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୪୩୧/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିବା ସହ ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ରିବାର ରାତି ପ୍ରାୟ ସାଢେ ୯ଟାରେ ଛତିଶିଗଡ଼ ଅଂଚଳରୁ କୁକୁଡ଼ା ଦାନା ବୋଝେଇ କରି ଏକ ଟ୍ରକ (ସିଜି ୦୮ଡ଼ବ୍ଳ୍ୟୁ ୯୯୭୨) ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ବ୍ରହ୍ମପୁର ଅଂଚଳର ଶରତ ମହାରଣା ଟିଭିଏସ ଆପାଚି (ଓଡ଼ି୦୭ଏକ୍ସ ୩୫୬୨) ଯାଉଥିବା ବେଳେ ପିତଳ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଆହତଙ୍କୁ ମୃତ ଘୋଷଣା କରିଥିଲେ । ସୋମବାର ସକାଳେ ମୃତଦେହକୁ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି ।


