ଟ୍ରକ ଆସୋସିଏନ ବିବାଦ ପୋଲିସ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଲେ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ନବଗଠିତ ଜୁରୁଡି ଟ୍ରକ ଆସୋସିଏସନ (ଜେଟିଏ) ଓ ବାଂଶପାଣି ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ (ମାଟୋଆ) ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଗୁରୁବାର ମାଟୋଆର କର୍ମକର୍ତା ପୋଲିସ ଅଧିକାରୀଙ୍କ ସହାୟତା ଲୋଡିଛନ୍ତି । ସୂଚନାନୁଯାୟୀ , ନବଗଠିତ ଜୁରୁଡି ଟ୍ରକ ଆସୋସିଏସନ (ଜେଟିଏ) ଓ ବାଂଶପାଣି ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ (ମାଟୋଆ) ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଗୁରୁବାର ବାଂଶପାଣିସ୍ଥିତ ମାଟୋଆ କାର୍ଯ୍ୟାଳୟରେ ମାଟୋଆ କର୍ମକର୍ତା ଏବଂ ଗାଡିମାଲିକମାନଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଡମ୍ପର ମାଲିକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ ବୋଲି ମାଟୋଆର ସଭାପତି ଚତୁର୍ଭୁଜ ପଲେଇ କହିଥିଲେ । ମାଟୋଆ କାର୍ଯ୍ୟାଳୟରେ ଆଲୋଚନା ପରେ ସମସ୍ତ କର୍ମକର୍ତା ଏକତ୍ରିତ ଭାବେ ଯୋଡା ଥାନାକୁ ଆସି , ଏହି ଘଟଣାରେ ବଡବିଲ ଏସଡିପିଓ ଓ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ହସ୍ତକ୍ଷେପ କରି ସ୍ଥାନୀୟ ଖଣି କମ୍ପାନୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ସୂଚନା ଯୋଗ୍ୟ ଯେ, ବୁଧବାର ମାଟୋଆର କର୍ମକର୍ତା ଏବଂ ଶତାଧିକ ଡମ୍ପରମାଲିକ ଏହି ହାଇଓା ଯୋଗେ ପରିବହନ କାର୍ଯ୍ୟ କାର୍ଯ୍ୟକୁ ବିରୋଧ କରିଥିଲେ । ଖବର ପାଇ ପୋଲିସ ଊଭୟ ରେଳ ସାଇଡିଂରେ ପୋଲିସ ଫୋର୍ସ ମୂତୟନ କରିଥିଲା । ମାଟୋଆର ସଭାପତି ଓ ସଂପାଦକ ସମେତ ଗାଡିମାଲିକ ମାନେ ଜୁରୁଡି ରେଳ ସାଇଡିଂରେ ପହନଚି ଲୋଡ ହୋଇଥିବା ହାଇଓା ଗୁଡିକୁ ସିଧାସଳଖ ବିରୋଧ କରି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ହାଇଓା ସାହାର୍ଯ୍ୟରେ ପରିବହନ କାର୍ଯ୍ୟ କରାଗଲେ ଡମ୍ପର ମାଲିକ ଓ ଡମ୍ପର ଉପରେ ନିର୍ଭର କରୁଥିବା ଡ୍ରାଇଭର ଓ ହେଲପର ମଧ୍ୟ କାର୍ଯ୍ୟହରା ହେବେ । ତେବେ ଜୁରୁଡି ରେଳ ସାଇଡିଂରେ ଉପସ୍ଥିତ ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ ଆସନ୍ତା ୩ ଦିନ ମଧ୍ୟରେ ଘଟଣାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।