ଟ୍ରକ ଧକ୍କାରେ ଫଳ ବ୍ୟବସାୟୀ ମୃତ: କ୍ଷତିପୂରଣ ଦାବୀରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ବନ୍ତ ଜଳସେଚନ ଅଫିସ ଛକ ଠାରେ ଶୁକ୍ରବାର ରାତି ସାଢେ ୮ଟା ବେଳେ ସଡକ ଦୁର୍ଘଟଣାରେ ଜଣେ ଫଳ ବ୍ୟବସାୟୀଙ୍କର ଜୀବନହାନି ଘଟିଛି । କ୍ଷତିପୂରଣ ଦାବୀରେ ସ୍ଥାନୀୟଲୋକେ ଶୁକ୍ରବାର ରାତି ଠାରୁ ରାଜ୍ୟପଥରେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ ଶନିବାର ପ୍ରଶାସନର ପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ଥାନା ଅଧିନ ଟିଲୋ ବଡସାହି ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଦେବାଶୀଷ(୪୦) ବନ୍ତ ବଜାରରେ ଏକ ଫଳଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ସବୁଦିନ ପରି ସେ ଶୁକ୍ରବାର ରାତି ସାଢେ ୮ଟା ବେଳେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଆନନ୍ଦପୁର ଆଡୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ତାଙ୍କୁ ପଛ ପାଖରୁ ଧକ୍କା ଦେବା ସହ ତାଙ୍କୁ କିଛି ବାଟ ଘୋଷାଡି ନେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଓ ପରେ କଟକ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟଲୋକେ ଶୁକ୍ରବାର ରାତି ୯ଟା ଠାରୁ ବନ୍ତ କେନ୍ଦୁଆପଦା ଛକ ଠାରେ ଟାୟାର ଜାଳି ରାଜପଥକୁ ଅବରୋଧ କରିଥିଲେ । ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଆଇ.ଆଇ.ସି ଆଦିତ୍ୟ ପ୍ରସାଦ ଜେନାଙ୍କ ସମେତ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଥିଲେ । ସକାଳ ସୁଦ୍ଧା ରାସ୍ତାରୋକ ଜାରି ଥିବା ବେଳେ ଖବର ପାଇ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଜେପି ନେତା ପଞ୍ଚାନନ ରାଉତ ଘଟଣା ସ୍ଥଳରେ ପହଞ୍ôଚ ମୃତକ ପରିବାରକୁ ସମବେଦନା ଜଣାଇବା ସହିତ ଲୋକ ମାନଙ୍କୁ ବୁଝାସୁଝା କରୁଥିଲେ । ପରେ ଉପଜିଲାପାଳ ମନୋଜ କୁମାର ପାତ୍ର ଘଟଣା ସ୍ଥଳରେ ପହଞ୍ôଚବା ପରେ ଧାମନଗର ଏସ୍.ଡି.ପି.ଓ ବିଜୟକୃଷ୍ଣ ମହାପାତ୍ର, ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଆଇ.ଆଇ.ସି ଆଦିତ୍ୟ ପ୍ରସାଦ ଜେନାଙ୍କ ଉପସ୍ଥିତିରେ ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସମାଜସେବୀ ଇଂ.ଲକି ମାଷ୍ଟର ସ୍ୱାଇଁ, ଲାଲା ସ୍ୱାଇଁ, ବାପି ସ୍ୱାଇଁ, ପ୍ରଣବ କିଶୋର ଲେଙ୍କାଙ୍କ ସମେତ ଅନ୍ୟ ନେତୃତ୍ୱ ମାନଙ୍କ ସହ ଆଲୋଚନା କରିଥିଲେ । ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ ବନ୍ଦ ରହି ପରବର୍ତ୍ତୀ ଅବସ୍ଥାରେ ପଦକ୍ଷେପ ନିଆଯିବ, ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ବାଲି ବୋଝେଇ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ, ବଜାର ଅଞ୍ଚଳରେ ଆବଶ୍ୟକ ସ୍ଥଳେ ସ୍ପିଡି ବ୍ରେକର ନିର୍ମାଣ ହେବ, ବଜାର ଅଞ୍ଚଳର ସରକାରୀ ଜାଗାରେ ଥିବା ଦୋକାନ ଗୁଡିକୁ ୭ ଦିନ ମଧ୍ୟରେ ଭଙ୍ଗାଯିବ, ବଜାରର ବିଭିନ୍ନ ସ୍ଥାନରେ ସି.ସି.ଟିଭି କ୍ୟାମେରା ଲଗାଯିବ, ମୃତକ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବ, ସ୍ଥିତି ଅନୁଧ୍ୟାନ କରାଯାଇ ବ୍ଲକ ଛକରୁ କେନାଲ ଛକ ପର୍ଯ୍ୟନ୍ତ ତିଆରି ହୋଇଥିବା ଡିଭାଇଡରକୁ ଭଙ୍ଗାଯିବା ସଂପର୍କରେ ଆଲୋଚନା ହୋଇଥିଲା । ଏସମସ୍ତ ପ୍ରତିଶୃତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟହୃତ ହୋଇଥିଲା । ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।