ଟ୍ରକ ମାଲିକ ସଂଘ ନିର୍ବାଚନକୁ ନେଇ ଉଷ୍ଣତା ବୃଦ୍ଧି, ଫାଇଦା ଉଠାଉଛନ୍ତି ଶିଳ୍ପ ଓ ଖଣି ମାଲିକ

ଯୋଡା, (ସମିର କୁମାର ଦାସ): ଓଡିଶା ରାଜ୍ୟର ଖଣିବହୁଳ ଅଂଚଳ କେନ୍ଦୁଝର ଜିଲା ଯୋଡା, ଯେଉଁଠି ଛତୁ ଫୁଟିଲା ପରି ଟ୍ରକ ମାଲିକ ସଂଘ ଗଠନ ହେବାରେ ଲାଗିଛି । ସଂଘ ଗୁଡିକ ଗଠନ ସିନା ହେଉଛି ହେଲେ ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ । କେନ୍ଦୁଝର ଜିଲାରେ କେନ୍ଦୁଝର, ଯୋଡା, ବଡବିଲ, ଗୁଆଲି, ଜୁରୁଡି ଓ କାଳିମାଟିରେ ପ୍ରଭୃତି ସ୍ଥାନରେ ଟ୍ରକ ମାଲିକ ସଂଘ ଗଠିତ ହୋଇଛି । ଯୋଡା ଟ୍ରକ ମାଲିକ ସଂଘରେ ପ୍ରାୟ ୨୨ ଶହ ଟ୍ରକ ମାଲିକ ସଦସ୍ୟ ଅଛନ୍ତି । ବଡବିଲ ଟ୍ରକ ମାଲିକ ସଂଘରେ ପ୍ରାୟ ୯ ଶହ ଟ୍ରକ ମାଲିକ ଓ ଗୁଆଲି ସଂଘରେ ପ୍ରାୟ ୩ ଶହ ଟ୍ରକ ମାଲିକ ସଦସ୍ୟ ଅଛନ୍ତି । କେନ୍ଦୁଝର ଟ୍ରକ ମାଲିକ ସଂଘରେ ପ୍ରାୟ ୭ ହଜାର ଟ୍ରକ ମାଲିକ ସଦସ୍ୟ ରହିଥିବା ବେଳେ ନୂତନ ଭାବେ ଗଠିତ ହୋଇଥିବା କାଳିମାଟି ଓ ଜୁରୁଡି ସଂଘରେ ମଧ୍ୟ ଶତାଧିକ ଟ୍ରକ ମାଲିକ ସଦସ୍ୟ ପଞ୍ଜିକୃତ ହୋଇଛନ୍ତି । କେବଳ ଯୋଡା ଖଣି ମଣ୍ଡଳ ଅଂଚଳରେ ବଡବିଲ, ଯୋଡା, ଜୁରୁଡି, କାଳିମାଟି, ଗୁଆଲିରେ ୫ଟି ସଂଘ ହୋଇଥିବା ବେଳେ ଯୋଡାରେ ମାଇନିଂ ଏରିଆ ଟ୍ରକ ଓନୋର୍ ଆସୋସିଏସନ୍ କାର୍ଯ୍ୟକ୍ଷମ ରହିଛି । ଏହି ସଂଘ ଗୁଡିକରେ ପ୍ରାୟତଃ ବିଭିନ୍ନ ରାଜନୈତିକ ଦଳ ପ୍ରଭାବ ରହିଛି । ଚଳିତ ମାସ ତା ୧୪ ରିଖରେ ଯୋଡା ଟ୍ରକ ଓନୋର୍ ଆସୋସିଏସନ୍‌ର ନିର୍ବାଚନ ରହିଛି । ଝୁମ୍ପୁରା, ରିମୁଳି, ଚମ୍ପୁଆ, ବିଲେଇପଦା, ଉଖୁଣ୍ଡା, କାଳିମାଟି, ଜୁରୁଡି, ବାମେବାରୀ, ନୟାଗଡ ପ୍ରଭୃତି ଅଂଚଳରେ ଏହି ନିର୍ବାଚନକୁ ନେଇ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି । ଖଣି ଅଂଚଳରେ ଆସୋସିଏସନ୍‌ରେ ଫାଟ ସୃଷ୍ଟି କରି ନିଜର ସ୍ୱାର୍ଥ ହାସଲ କରିବା ପାଇଁ କିଛି ଖଣି ମାଲିକମାନେ ମସୁଧା ଚଳାଇଥିବା ଅଂଚଳରେ ଚର୍ଚ୍ଚା ଜୋର୍ ଧରିଛି । ଖଣି ଅଂଚଳରେ ଗୋଟିଏ ସଂଘ ଥିଲାବେଳେ ଟ୍ରକ ମାଲିକମାନଙ୍କର ନ୍ୟାର୍ଯ୍ୟଦାବୀ ସାମୁହିକ ଥିବାରୁ ଖଣି ଓ ଶିଳ୍ପ କମ୍ପାନୀମାନେ ପୂରଣ କରିବା ପାଇଁ ବାଧ୍ୟ ହେଉଥିଲେ । ମାତ୍ର କାଳକ୍ରମେ ସଂଘରେ ଫାଟ ସୃଷ୍ଟି ହୋଇ ଏକାଧିକ ସଂଘ କେବଳ ଯୋଡାରେ ଗଠନ ହେବାରୁ ଏହାର ଫାଇଦା ବଡବଡ ଖଣି ଓ ଶିଳ୍ପ କମ୍ପାନୀମାନେ ଉଠାଉଛନ୍ତି । ଟ୍ରକ ମାଲିକମାନେ ଆର୍ôଥକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସଂଘର ସମସ୍ତ ସଦସ୍ୟ ଏକଜୁଟ ହୋଇ ଏହାର ପ୍ରତିବାଦ କଲେ ଏହାର ସମାଧାନର ବାଟ ବାହାରି ପାରିବ ବୋଲି ଯୋଡା ଟ୍ରକ ଓନୋର୍ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ରବିନାରାୟଣ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏ ସମ୍ପର୍କରେ ଯୋଡା ଟ୍ରକ ଓନୋର୍ ଆସୋସିଏସନ୍‌ର ପୂର୍ବତନ ଅଧ୍ୟକ୍ଷ ମାତାପ୍ରସାଦ ଜୟସ୍ୱାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଖଣି ମାଲିକମାନେ ସଂଘରେ ଫାଟ ସୃଷ୍ଟି କରାଇ ନୂତନ ସଂଘ ସୃଷ୍ଟି କରିବାରେ ପ୍ରମୁଖ ହାତ ରହିଛି । ଗାଡି ମାଲିକମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପରିବହନ ଭଡା ମୂଲ୍ୟ କମ୍ ଦେଇ କାର୍ଯ୍ୟ କରାଉଛନ୍ତି । ଖଣି ଅଂଚଳରେ ନିଯୁକ୍ତିର ଅଭାବ ରହିଥିବା ବେଳେ ଏକମାତ୍ର ପନ୍ଥାଭାବେ ଟ୍ରକ ଚଳାଇ ଅଂଚଳରେ ଟ୍ରକ ମାଲିକମାନେ ଜୀବିକା ଉପାର୍ଜନ କରୁଥିବା ବେଳେ ସେମାନଙ୍କର ଭବିଷ୍ୟତ ଉପରେ ଖଣି କମ୍ପାନୀମାନେ ଚାପ ପ୍ରୟୋଗ କରି ଏକତାକୁ ଭାଙ୍ଗିବାରେ ଲାଗିଛନ୍ତି । ନିଜ ନିଜ ଭିତରେ ଟଣା ଓଟରା ନ ହୋଇ ଟ୍ରକ ମାଲିକମାନେ କିପରି ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପାଇ ପାରିବେ ଏ ନେଇ ସଂଘ କାର୍ଯ୍ୟ କରିବା ଉଚିତ ବୋଲି ଯୁବ ସଂଗଠକ ତଥା ଟ୍ରକ ମାଲିକ ମାନସ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଟ୍ରକ ମାଲିକ ଶୈଳେନ୍ଦ୍ର ଜୋରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ତୈଳ ଦର, ଟାୟାର, ଯନ୍ତ୍ରାଂଶ ମୂଲ୍ୟ, ଟ୍ୟାକ୍ସ, ଟୋଲ୍ ଟ୍ୟାକ୍ସ ପ୍ରଭୃତିର ବୃଦ୍ଧି ହୋଇଛି ହେଲେ ପରିବହନର ମୂଲ୍ୟ ବୃଦ୍ଧି ହେଉନାହିଁ । ଯାହା ଫଳରେ ଟ୍ରକ ମାଲିକମାନେ କ୍ଷତି ସହୁଛନ୍ତି । ସଂଘ ଏ ଦିଗରେ ବଳିଷ୍ଠ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ । ବହୁ ଟ୍ରକ ମାଲିକ ମତ ଦେଇଛନ୍ତି ଯେ, ଏକାଧିକ ଟ୍ରକ ମାଲିକ ସଂଘ ହେବାରୁ ଅଂଚଳରେ ଆଂଚଳିକବାଦ ଓ ବିବାଦ ଦେଖା ଦେଲାଣି ଯାହାକି ଅଂଚଳ ପାଇଁ ଶୁଭଙ୍କର ନୁହେଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ