ଟ୍ରମ୍ପଙ୍କ ଚେତାବନୀର ଜବାବ ଦେଲା ଭାରତ
ନୂଆଦିଲ୍ଲୀ: ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲେ। ଏହି ଅବସରରେ ଟ୍ରମ୍ପ୍ ଭାରତକୁ ଆଣ୍ଟି-ମ୍ୟାଲେରିଆ ଔଷଧ ପଠାଇବା ସକାଶେ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଔଷଧ ଯୋଗାଇଦେବା ସକାଶେ ସହମତି ପ୍ରକାଶ କରିଥିଲେ। ତେବେ ସୋମବାର ଟ୍ରମ୍ପ୍ ଭାରତ ଆଣ୍ଟି-ମ୍ୟାଲେରିଆ ଔଷଧ ନ ପଠାଇଲେ, ଏହା ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେବା ପରେ ଏନେଇ ଭାରତ ପକ୍ଷରୁ ଜବାବ ଦିଆଯାଇଛି। ଭାରତଠାରୁ ପଡ଼ୋଶୀ ଦେଶମାନେ ଆବଶ୍ୟକ କରୁଥିବା ସହଯୋଗ ଯୋଗାଇ ଦେବାରେ ଭାରତ ଆଦୌ କୁଣ୍ଠାବୋଧ କରିବ ନାହିଁ। ତେବେ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଏ ସଂକ୍ରାନ୍ତ ଆଲୋଚନାର ରାଜନୀତିକରଣ କରାଯିବା ଅନୁଚିତ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କୋରୋନାଜନିତ ମହାମାରୀରେ ଯେଉଁ ଦେଶମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ ଆମେ ନିଶ୍ଚିତ ଭାବେ ଆଣ୍ଟି-ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ପାରାସିଟାମଲ୍ ଔଷଧ ଯୋଗାଇ ଦିଆଯିବ। ତେଣୁ ବର୍ତ୍ତମାନ ସମୟରେ ଭାରତ ପକ୍ଷରୁ କାହାକୁ ଏହି ଔଷଧ ଦିଆଯିବ ନାହିଁ, ସେନେଇ କୌଣସି ପ୍ରଚାର କରାଯିବାର ଆବଶ୍ୟକତା ନାହିଁ ଓ ଏହାର ରାଜନୀତିକରଣ ମଧ୍ୟ ନ ହେବା ଉଚିତ ବୋଲି ଶ୍ରୀବାସ୍ତବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାରତ ଉପରେ ନିର୍ଭର କରୁଥିବା ଦେଶମାନଙ୍କୁ ନିଶ୍ଚିତ ଭାବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ପାରାସିଟାମଲ୍ ଔଷଧ ଯୋଗାଇ ଦିଆଯିବ। ବର୍ତ୍ତମାନ ସମଗ୍ର ବିଶ୍ବରେ କୋରୋନା ଭୂତାଣୁଜନିତ ମହାମାରୀରେ ମାନବ ସମାଜର ସ୍ଥିତି ଦୋହଲିଯାଇଥିବା ବେଳେ ପ୍ରତିଟି ଦେଶ ପରସ୍ପରକୁ ସହଯୋଗର ହାତ ବଢ଼ାଇବା ଉଚିତ। ଏକ ଦାୟିତ୍ବସମ୍ପନ୍ନ ସରକାର ଭାବେ କିଛିଦିନ ତଳେ ବିଦେଶକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ ପାରାସିଟାମଲର ରପ୍ତାନୀ ଉପରେ କଟକଣା ଲଗାଯାଇଥିଲା। ଆମ ଦେଶରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ସକାଶେ ଯଥେଷ୍ଟ ମାତ୍ରାରେ ଏହି ଔଷଧ ମହଜୁଦ ରଖିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ବୋଲି ଶ୍ରୀବାସ୍ତବ କହିଛନ୍ତି।