ଟ୍ରମ୍ପ ପ୍ରଶାସନର ଏକଘରକିଆ ନୀତି!
ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ତାଙ୍କ ବିବାଦୀୟ ବୟାନବାଜୀ ଓ ପଦକ୍ଷେପ ପାଇଁ ତାଙ୍କୁ କେବଳ ଚର୍ଚ୍ଚିିତ କରିନାହିଁ, ବିଶ୍ୱ ସମୁଦାୟରୁ ଏକଘରକିଆ କରିଦେଇଛି ବୋଲି କହିଲେ ଭୁଲ ହେବ ନାହିଁ। ଦ୍ୱିତୀୟ ପାଳିର ପ୍ରଥମ କେଇ ମାସରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ୭ଟି ଯୁଦ୍ଧ ବନ୍ଦ କରିଥିବା ଦର୍ଶାଇ ନୋବେଲ ଶାନ୍ତି ପୁରସ୍କାର ପାଇଁ ନିଜେ ଦାବି କରିବା, ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ଲାଗି ଉଦ୍ୟମ କରି ବିଫଳ ହେବା ପରେ ମସ୍କୋରୁ ତୈଳ କିଣୁଥିବା ରାଷ୍ଟ୍ରମାନଙ୍କ ଉପରେ ୧୦ପ୍ରତିଶତରୁ ଆରମ୍ଭ କରି ୫୦ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲାଗୁ କରିବା, ଏବେ ତାଙ୍କର ଗ୍ରୀନଲାଣ୍ଡ ଦଖଲ ଅଭିଯାନକ ବିରୋଧ କରୁଥିବା ରାଷ୍ଟ୍ରମାନଙ୍କ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାର ଧମକ, ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ କାନାଡାକୁ ଅଧିଗ୍ରହଣ କରିବାର ଘୋଷଣା, ସେହିପରି ନିକଟରେ ଲାଟିନ ଆମେରିକୀୟ ରାଷ୍ଟ୍ର ଜେନେଜୁଏଲାରେ ରାତି ଅଧିଆ ଆକ୍ରମଣ କରି ଏହାର ରାଷ୍ଟ୍ରପତି ଦମ୍ପତିଙ୍କୁ ଗିରଫ କରି ଅପହରଣ କରିନେବା, ଏବଂ ଗ୍ରୀନଲ୍ୟାଣ୍ଡ, ଇରାନ, କ୍ୟୁବା ଡେନମାର୍କ, ଆଦି ରାଷ୍ଟ୍ରକୁ ନିଜ ଦଖଲକୁ ନେବା ପାଇଁ ଘୋଷଣା କରିବା ନିଷ୍ପତି କେବଳ ତାଙ୍କର ବିବାଦୀୟ ବିସ୍ତାରବାଦୀ ଆଭିମୁଖ୍ୟର ପରଚୟ ଦେଇନାହିଁ, ସମଗ୍ର ବିଶ୍ୱକୁ ଆଉ ଏକ ମହାଯୁଦ୍ଧ ଆଡକୁ ଟାଣି ନେଉଛି ବୋଲି କହିଲେ ହୁଏତ ଅତିରଂଜିତ ହେବ ନାହିଁ। କେବଳ ଏତିକି ନୁହେଁ, ଏବେ ଟ୍ରମ୍ପ ପ୍ରଶାସନ ଏକ ରାଷ୍ଟ୍ରପତୀୟ ଘୋଷଣାନାମାରେ ଆମେରିକା ଜାତିସଂଘର ଜଳବାୟୁ ପରିବର୍ତନ ସଂକ୍ରାନ୍ତ କନଭେନ ସହ ଅନ୍ୟ ୬୫ଟି ଆନ୍ତର୍ଜାତିକ ସଂଗଠନ ଏବଂ ମଂଚରୁ ନିଜକୁ ଅପସାରିତ କରିନେଇଛି। ଏହି ସମସ୍ତ ସଂଗଠନଗୁଡିକ ଆମେରିକାର ସ୍ୱାର୍ଥ ବିରୋଧି ବୋଲି ଟ୍ରମ୍ପ ପ୍ରଶାସନ ଦର୍ଶାଇ ନିଜକୁ ଦୂରେଇ ଦେଇଛି। ଉଲ୍ଳେଖଯୋଗ୍ୟ ଯେ, ପ୍ରଥମ ପାଳିର ରାଷ୍ଟ୍ରପତୀୟ କାଳରେ ପ୍ୟାରିସ ଜଳବାୟୁ ରାଜିନାମାରୁ ଟ୍ରମ୍ପ ଆମେରିକାକୁ ପ୍ରତ୍ୟାହାର କରି ନେଇଥିବାବେଳେ ଦ୍ୱିତୀୟ ପାଳିରେ ଏବେ ଦୁଇଗୁଣ ପ୍ରତିବଦ୍ଧତା ସହ ଜଳବାୟୁ ପରିବର୍ତନ ବିରୁଦ୍ଧରେ ଲଢେଇ କରୁଥିବା ସମସ୍ତ ସଂଗଠନରୁ ନିଜକୁ ଅପସାରିତ କରିନେଇଥିବା ଘୋଷଣା କରିନେଇଛନ୍ତି। ଜଳବାୟୁ ପରିବର୍ତନ ବିରୁଦ୍ଧରେ ପୂର୍ବତନ ରାଷ୍ଟ୍ରପତି ବାଇଡେନ ଯେଉଁସବୁ ସଂକଳ୍ପନାମା, କ୍ରୀୟାନୁଷ୍ଠାନ ଘୋଷଣା କରିଥିଲେ, ତହିଁରୁ ଆମେରିକା ଏବେ ନିଜକୁ ଦୂରେଇ ନେଇଛି। କେବଳ ଏତକିି ନୁହେଁ, ମିଳିତ ଜାତିସଂଘ ସଂକ୍ରାନ୍ତୀୟ ଏଜେନସି ଏବଂ ପରାମର୍ଶଦାତା ପାନେଲ, ଯେଉଁଗୁଡିକ ଜଳବାୟୁ, ଅକ୍ଷୟ ଶକ୍ତି, ଲିଙ୍ଗ ସମାନତା, ସଂଖ୍ୟାଲଘୁ ଅଧିକାର, ଆଇନର ଶାସନ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ଗୁଡିକ ବିବିଧତା ଓ ସଚେତନତା ଅଭିଯାନକୁ ସମର୍ଥନ କରୁଥିବା ଟ୍ରମ୍ପ ପ୍ରଶାସନ ବିବେଚନା କରୁଛି। ଏହା ନିସନ୍ଦେହ ଯେ, ଟ୍ରମ୍ପ ପ୍ରଶାସନର ଏଭଳି ମନୋଭାବ, ପଦକ୍ଷେପ ପୃଥକବାଦର ସଂକେତ ପ୍ରଦାନ କରେ। କହିବା ବାହୁଲ୍ୟ ଯେ, ୨୦୨୫ ମସିହା ପ୍ରଥମ ଭାଗରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ହୁ)କୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ପରିଣତି ସ୍ୱରୁପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶିଶୁ ଓ ମାତୃ ମୃତ୍ୟୁ ହାର ନିୟନ୍ତ୍ରଣ, ଯକ୍ଷ୍ମା, ମାଲେରିଆ, ଏଚଆଇଭି/ଏଡସ୍ ନିରାକରଣ ଏବଂ ବିଭିନ୍ନ ସଂକ୍ରାମକ ରୋଗ ବିରୁଦ୍ଧରେ ଚଳାଇଥିବା ସର୍ଭେଲାନସ୍ ଆଦି କ୍ଷେତ୍ରରେ ଚଳାଇଥିବା ଅଭିଯାନ ପ୍ରତି ଶକ୍ତ ଧକ୍କା ସଦୃଶ ହୋଇଛି। ‘ହୁ’ର ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣଭାବେ ବାହ୍ୟ ଅନୁଦାନ ଉପେର ନିର୍ଭରଶୀଳ ଥିବାବେଳେ ଆମେରିକା ସର୍ବୋଚ୍ଚ ପାଣ୍ଠି ସହାୟତା ରାଷ୍ଟ୍ର ଭାବେ ପରିଚିତ ଥିଲା। ସେହିପରି ଜଳବାୟୁ ପରିବର୍ତନ, ମାନବିକ ଅଧିକାର, ଶ୍ରମ ମାନଦଣ୍ଡ ଏବଂ ଆଇନର ଶାସନ ଆଦି ପ୍ରସଙ୍ଗ ଆମେରିକାର ଅନୁଦାନ ଏବଂ ବିଭିନ୍ନ ଆମେରିକୀୟ ସଂଗଠନ ସହ ଜଡିତ। ଟ୍ରମ୍ପଙ୍କ ପ୍ରଥମ ପାଳି ଓ ଦ୍ୱିତୀୟ ପାଳିର ପ୍ରଶାସନର କାର୍ଯ୍ୟକଳାପ ନେଇ ସମଗ୍ର ବିଶ୍ୱ ମୁକସାକ୍ଷୀ ଥିବାବେଳେ ରାଜନୈତିକ ଲକ୍ଷ୍ୟ ପୁରଣ ପାଇଁ ଅତିରିକ୍ତ ବାଣିଜ୍ୟ ଟାରିଫ (ଶୁଳ୍କ)କୁ ଅସ୍ତ୍ରଭାବେ ଟ୍ରମ୍ପ ପ୍ରଶାସନ ବ୍ୟବହାର କରିବାର ଅନିଷ୍ଟକାରକ ଓ ଅସ୍ଥିରତାର ପରିଣତିକୁ ମଧ୍ୟ ଅଙ୍ଗେ ନିଭାଇ ସାରିଲାଣି। ଏବେ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ପୂର୍ବରୁ ୭ଟି ଯୁଦ୍ଧ କରିବାର ଆସ୍ଫାଳନ କରି ନୋବେଲ ଶାନ୍ତି ପୁରସ୍କାର ପାଇଁ ହକଦାର ବୋଲି ଦାବି କରିଥିବା ବେଳେ ଏବେ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହେଲେ ବିଶ୍ୱଶାନ୍ତି ପାଇଁ କାର୍ଯ୍ୟ କରିବେ ବୋଲି ଯାହାକି ତାଙ୍କ ବାଚଳତା’ର ସନ୍ଦେଶ ପ୍ରଦାନ କରେ। ଏହା ନିସନ୍ଦେହ ଯେ, ବିଶ୍ୱ ଜଳବାୟୁ ପରିବର୍ତନ ଏବେ ସମଗ୍ର ‘ସୃଷ୍ଟି’ ପାଇଁ ବିପଦର କାରଣ ଭାବେ ଉଭା ହୋଇଛି। ଆମେରିକା ବିଶ୍ୱ ଜଳବାୟୁ ପରିବର୍ତନ ନିୟନ୍ତ୍ରଣ ଅଭିଯାନରୁ ଓହରି ଯିବା ଘଟଣା ଜଳବାୟୁ ନିୟନ୍ତ୍ରଣ ସ୍ଥାପତ୍ୟମାନଙ୍କ ପାଇଁ ପୁଣି ଥରେ ଅବଶିଷ୍ଟ ବଶ୍ୱକୁ ସଂଗଠିତ କରି ଆଗେଇଯିବାର ସୁଯୋଗ ସୃଷ୍ଟି କରିଛି, ଏଥିରେ ସନ୍ଦେହ ନାହିଁ।

ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୭୯୭୮୬୬୬୪୦୩


