ଟ୍ରାକ୍ଟରରୁ ଖସିପଡି ଜଣେ ଶିଶୁ ଶ୍ରମିକଙ୍କ ମୃତ୍ୟୁ
ହାଟଡ଼ିହି : ହାଟଡିହି-ସମଣା ରାସ୍ତାର ଇଶଳା ଗାଁ ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ଶିଶୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତ୍ୟେକ୍ତ ଲୋକମାନେ ରାସ୍ତା ଅବରୋଧ କରିବା ସହିତ ଟ୍ରାକ୍ଟରଟିରେ ନିଆଁ ଲଗାଇ ଦେଇଥିଲେ । ଖବରରୁ ଜଣାଯାଇଛି ଯେ ବାହାରିପୁର ଗ୍ରାମର ଏକ ଟ୍ରାକ୍ଟର ଇଟା ବୋଝେଇ କରି ବାହାରିପୁରରୁ ଆସୁଥିବାବେଳେ ସେହି ଗ୍ରାମର ବିଦା ଯେନାଙ୍କ ପୁଅ ତାପସ ଯେନା(୧୫) ଏହି ଟ୍ରାକ୍ଟରରେ ଶ୍ରମିକ ଭାବେ ଇଟା ଅନଳୋଡ କରିବାକୁ ସାଙ୍ଗରେ ଆସିଥିଲେ । ଇଶଳା ଘୋଷରା ନିକଟରେ ଅସାବଧନତାରୁ ତାପସ ତଳକୁ ଖସିପଡିବାରୁ ଟ୍ରାକ୍ଟରର ପଛ ଚକ ଟି ତା ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହାକୁନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକମାନେ ଟ୍ରାକ୍ଟରଟିକୁ ଭଙ୍ଗାରୁଜା କରିବା ସହିତ ସେଥିରେ ନିଆଁ ଲଗାଇ ଦେଇଥିଲେ । ପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ସହିତ ମୃତଦେହକୁ ଜବଦ କରି ପୋଷ୍ଟମଟମ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି । ଟ୍ରାକ୍ଟରର ଚାଳକ ଫେରାର ହୋଇଯାଇଛି ।


