ଟ୍ରାକ୍ଟରରେ ବିପଦଜନକ ଭାବେ କାଠ ପରିବହନ

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ର ନିମାପଡା – ଅସ୍ତରଙ୍ଗ ମୁଖ୍ୟ ରାସ୍ତା ରେ ପ୍ରତିଦିନ ଟ୍ରାକ୍ଟର ଯୋଗେ ଅତି ବିପଦଜନକ ଭାବେ କାଠ ପରିବହନ ହେଉଥିଲେ ମଧ୍ୟ ସ୍ଥାନୀୟ ପୋଲିସ, ବନ ବିଭାଗ ଅଥବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସବୁଠାରୁ ଉଦବେଗ ର ବିଷୟ ହେଉଛି ଯେ, ବିପଦଜନକ ଭାବେ କାଠ ପରିବହନ କରୁଥିବା ଟ୍ରାକ୍ଟର ଗୁଡ଼ିକୁ ଚଳାଉଥିବା ଚାଳକ ମାନଙ୍କର ବୈଧ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ ଅଥବା ଗାଡିଗୁଡ଼ିକ ର ମଧ୍ୟ ଆବଶ୍ୟକୀୟ ପରିବହନ କାଗଜପତ୍ର ନାହିଁ ବୋଲି ଅଭିଯୋଗ ହେଉଛି।ସରକାର ଙ୍କୁ କୌଣସି ଟିକସ ନଦେଇ ବିନା କାଗଜପତ୍ର ରେ ଟ୍ରାକ୍ଟର ଗୁଡ଼ିକ ବେଆଇନ ଭାବେ ନିର୍ଦ୍ଧାରିତ ଠାରୁ ବହୁ ଅଧିକ ପରିମାଣରେ ଅତି ବିପଦଜନକ ଭାବେ କାଠଲୋଡ କରି ମୁଖ୍ୟରାସ୍ତା ରେ ପ୍ରତିଦିନ ପରିବହନ କରୁଛନ୍ତି।ଏଥିପାଇଁ ବିଭିନ୍ନ ସମୟରେ ଅନେକ ଛୋଟ ବଡ଼ ଦୁର୍ଘଟଣା ମଧ୍ଯ ଘଟୁଛି।ଟ୍ରାକ୍ଟର ରେ ପ୍ରାୟ ୧୦୦ ଫୁଟ କାଠ ପରିବହନ କରାଯିବାର ନିୟମ ରହିଛି। କିନ୍ତୁ କାଠ ମାଫିଆ ମାନେ ଟ୍ରାକ୍ଟର ଗୁଡ଼ିକ ଚଳାଉଥିବା ଚାଳକ ମାନଙ୍କୁ ଲୋଭ ଦେଖାଇ ଦୁଇ ଗୁଣ ଅଧିକ ଅର୍ଥାତ୍ ୨୦୦ ଫୁଟ କାଠ ଲୋଡ କରି ପରିବହନ କରୁଛନ୍ତି।କାଠ ଗୁଡ଼ିକ ଟ୍ରାକ୍ଟର ଡାଲା ଉପରେ ସୁ ଉଚ୍ଚ ହୋଇ ବିପଦପୂର୍ଣ୍ଣ ଭାବେ ବନ୍ଧା ହୋଇ ରହୁଛି। ଯଦି କେବେ କୌଣସି ସ୍ଥାନ ରେ କାଠ ରେ ବନ୍ଧା ହୋଇଥିବା ରସି/ଦଉଡ଼ି ଛିଣ୍ଡି ଯିବ ତେବେ ବ୍ୟାପକ ଧନ ଜୀବନ କ୍ଷତି ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବେଆଇନ ତଥା ବିପଦଜନକ କାଠ ପରିବହନ କୁ ଯଦି ରୋକା ନ ଯାଏ ଭବିଷ୍ୟତ ରେ ଏହାକୁ ନେଇ ଧନ ଜୀବନ ହାନି ଘଟିବା ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ତୁରନ୍ତ ପୁରୀ ଜିଲ୍ଲା ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ