ଟ୍ରାକ୍ଟର ଆଗରେ ଶୋଇଲେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ, ହଟହଟା ହେଲା ପ୍ରଶାସନ

କୋଣାର୍କ, (ଗଣେଶ ବେହେରା): ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଆଗରେ ହାର ମାନିଛି ପ୍ରଶାସନ । ପ୍ଲଟ ବଂଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ କୋଣାର୍କ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ଧାରଣା ଆଜକୁ ୧୬ ଦିନରେ ପହଂଚିଛି । ଏହି ସମସ୍ୟାର ସମାଧାନ ହୋଇନପାରିବାରୁ ସୋମବାର ଅପରାହ୍ନରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଓ ପ୍ରଶାସନ ଛକାପଂଝା ଲାଗି ରହିଥିଲା । ଗତ କିଛି ଦିନ ହେଲା ନୂଆ ପ୍ଲଟରେ ହସ୍ତଶିଳ୍ପ ବ୍ୟବସାୟୀ ଦୋକାନ ଖୋଲିବାରୁ ଆଇଓଏଫ ପାର୍କିଂ ପାଚେରୀ କଡରେ ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀମାନେ ଦୋକାନ ଖୋଲିବା ଆରମ୍ବ କରିଥିଲେ । ଏହି ଦୋକାନ ଉଛେଦ କରିବା ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ,ଆଇଆଇସି ରଂଜନ କୁମାର ମଲ୍ଲିକ ପୁଲିସ ଫୋର୍ସ ସହିତ ଘଟଣାସ୍ତଳରେ ପହଂଚିଥିଲେ । ଟ୍ରାକ୍ଟର ଲଗାଇ ଉଛେଦ ଆରମ୍ବ କରିବା ପୂର୍ବରୁ ଅସନ୍ତୁଷ୍ଟ ବ୍ୟବସାୟୀମାନେ ଟ୍ରାକ୍ଟର ସମ୍ମୁଖରେ ଶୋଇ ପଡିଥିଲେ । କିଛି ସମୟ ଧରି ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ପ୍ରଶାସନ ଫୋର୍ସ ସହିତ ଫେରିଯାଇଥିଲା । କୋଣାର୍କ ସୈାନ୍ଦର୍ଯ୍ୟକରଣ ଯୋଜନାରେ ବ୍ୟବସାୟୀଙ୍କୁ ଅଇଥାନ ପାଇଁ ଅନ୍ୟତ୍ର ପ୍ଲଟ ବଂଟନ କରାଯାଇଥିଲା । ଏହି ପ୍ଲଟ ଆବଂଟନରେ ପାତରଅନ୍ତର ହୋଇଥିବା,ଅଣବ୍ୟବସାୟୀ ଓ ସମ୍ପର୍କୀୟଙ୍କ ନାମରେ ଏକାଧିକ ପ୍ଲଟ ରହିଥିବା ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀ ଅଭିଯୋଗ କରିଛି । ହସ୍ତଶିଳ୍ପ ବ୍ୟବସାୟୀ ତାଲିକାରେ ଚଂଚକତା କରାଯାଇ ୧୬୪ଜଣଙ୍କ ବଦଳରେ ୨୨୩ଜଣଙ୍କ ନାମ ରହିଥିବାରୁ ବିବାଦ ଦେଖାଦେଇଥିଲା । ପ୍ଲଟ ଆବଂଟନରେ ଅନିୟମିତତାର ପୁନଃ ସମୀକ୍ଷା ଓ ଲଟେରୀ ମାଧ୍ୟମରେ ୧୬୪ ବ୍ୟବସାୟୀଙ୍କୁ ତାଲିକାରେ ସାମିଲ ସହ ଅଣବ୍ୟବସାୟୀଙ୍କ ବାଦ ଦେବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଭରତ ଚନ୍ଦ୍ର ନାୟକ,ସୁକାନ୍ତ ମହାନ୍ତି,ରଂଜିତ କୁମାର ରାଉତରାୟ,ବିଜୟ ନନ୍ଦି,ଭାସ୍କର ବେହେରା ପ୍ରମୁଖ ଦାବି କରିଛନ୍ତି । ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ପାଇଁ ଦାନା ବାଂଧିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ