ଟ୍ରାକ୍ଟର ରେ ବିପଦଜନକ ଭାବେ କାଠ ପରିବହନ : ପୋଲିସ ଓ ପରିବହନ ବିଭାଗ ନୀରବଦ୍ରଷ୍ଟା
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ର ନିମାପଡା – ଅସ୍ତରଙ୍ଗ ମୁଖ୍ୟ ରାସ୍ତା ରେ ପ୍ରତିଦିନ ଟ୍ରାକ୍ଟର ଯୋଗେ ଅତି ବିପଦଜନକ ଭାବେ କାଠ ପରିବହନ ହେଉଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଅଥବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସବୁ ଠାରୁ ଉଦବେଗ ର ବିଷୟ ହେଉଛି ଯେ, ଉକ୍ତ ଟ୍ରାକ୍ଟର ଗୁଡ଼ିକୁ ଚଳାଉଥିବା ଚାଳକ ମାନଙ୍କର ବୈଧ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ ଅଥବା ଗାଡିଗୁଡ଼ିକ ର ମଧ୍ୟ ଆବଶ୍ୟକୀୟ ପରିବହନ କାଗଜପତ୍ର ନାହିଁ । ସରକାର ଙ୍କୁ କୌଣସି ଟିକସ ନଦେଇ ବିନା କାଗଜପତ୍ର ରେ ଟ୍ରାକ୍ଟର ଗୁଡ଼ିକ ବେଆଇନ ଭାବେ ନିର୍ଦ୍ଧାରିତ ଠାରୁ ବହୁ ଅଧିକ ପରିମାଣ ରେ ଅତି ବିପଦ ଜନକ ଭାବେ କାଠ ଲୋଡ କରି ମୁଖ୍ୟ ରାସ୍ତା ରେ ପ୍ରତିଦିନ ପରିବହନ କରୁଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଅନେକ ଛୋଟ ବଡ଼ ଦୁର୍ଘଟଣା ମଧ୍ଯ ଘଟୁଛି । ଗତକାଲି ବିଳମ୍ବିତ ରାତିରେ ନିମାପଡା ବ୍ଲକ ତୁଳସୀପୁର – ଅମରେଶ୍ଵର ରାସ୍ତା ର ବାଟିବିଲ ଠାରେ ଏକ କାଠଲୋଡ କରିଥିବା ଟ୍ରାକ୍ଟର ବରଯାତ୍ରୀ ଙ୍କୁ ନେଇ ନୂଆହାଟ ଫେରୁଥିବା ବୋଲେରୋ ଗାଡ଼ି କୁ ଧକ୍କା ଦେଇଥିଲା । ବୋଲେରୋ ଗାଡ଼ି ଟି ଭାଙ୍ଗିରୁଜି ଚୁର ମାର ହୋଇଯାଇଛି । କାଠ ପରିବହନ କରିଥିବା ଟ୍ରାକ୍ଟର କୁ ପୋଲିସ ଠାବ କରିବାରେ ବିଫଳ ହୋଇଛି । ଟ୍ରାକ୍ଟର ରେ ପ୍ରାୟ ୧୦୦ ଫୁଟ କାଠ ପରିବହନ କରାଯିବା କଥା । କିନ୍ତୁ କାଠ ମାଫିଆ ମାନେ ଟ୍ରାକ୍ଟର ଗୁଡ଼ିକ ଚଳାଉଥିବା ଚାଳକ ମାନଙ୍କୁ ଲୋଭ ଦେଖାଇ ଦୁଇ ଗୁଣ ଅଧିକ ଅର୍ଥାତ୍ ୨୦୦ ଫୁଟ କାଠ ଲୋଡ କରି ପରିବହନ କରୁଛନ୍ତି । କାଠ ଗୁଡ଼ିକ ଟ୍ରାକ୍ଟର ଡାଲା ଉପରେ ସୁ ଉଚ୍ଚ ହୋଇ ବିପଦପୂର୍ଣ୍ଣ ଭାବେ ବନ୍ଧା ହୋଇ ରହୁଛି । ଯଦି କେବେ କୌଣସି ସ୍ଥାନ ରେ କାଠ ରେ ବନ୍ଧା ହୋଇଥିବା ରସି/ଦଉଡ଼ି ଛିଣ୍ଡି ଯିବ ତେବେ ବ୍ୟାପକ ଧନ ଜୀବନ କ୍ଷତି ଘଟିବା ଆଶଙ୍କା ସୃଷ୍ଟି ହୋଇଛି । ଏହି ବେଆଇନ ତଥା ବିପଦ-ଜନକ କାଠ ପରିବହନ କୁ ଯଦି ରୋକା ନ ଯାଏ ଭବିଷ୍ୟତ ରେ ଏହାକୁ ନେଇ ଧନ ଜୀବନ ହାନି ଘଟିବା ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ତୁରନ୍ତ ପୁରୀ ଜିଲ୍ଲା ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।