ଟ୍ରାଫିକ ଜାମ୍ ରେ ଫସିଲା ୨ ଆମ୍ବୁଲାନ୍ସ
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳୁନଥିବା ଦେଖିବାକୁ ମିଳିଛି । ପ୍ରଶାସନର ନିର୍ଦ୍ଦେଶକୁ ମାନୁନଥିବାରୁ ଏହି ଟ୍ରାଫିକ ସମସ୍ୟା ସୁଧୁରି ପାରୁନାହିଁ । ଏହି ଟ୍ରାଫିକ ସମସ୍ୟାର ନିରାକରଣ ପାଇଁ ଜିଲାପାଳ ଘନ ଘନ ବୈଠକ କରି ନିର୍ଦ୍ଦେଶ ଦେଉଥିଲେ ହେଁ ଏହାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ଗୁରୁବାର ଅପରାହ୍ନରେ ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ନଂ ଜାତୀୟ ରାଜପତର ଲହଣ୍ଡାଠାରେ ଟ୍ରାଫିକ ସମସ୍ୟା ଏତେ ଜଟିଳ ହୋଇଥିଲା ଯେ, ସାଧାରଣ ବାଇକ୍ ଠାରୁ ଆରମ୍ଭ କରି, ଛୋଟ ଯାନବାହାନ, ଯାତ୍ରୀବାହୀ ବସ୍, ଟ୍ରକ, ଏପରିକି ୨ ଗୋଟି ଆମ୍ବୁଲାନ୍ସ ଗାଡି ମଧ୍ୟ ଏହି ଟ୍ରାଫିକ ଜାମ୍ ରେ ଫସି ରହିଥିଲା । ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ଖଣି କମ୍ପାନୀ ମାନଙ୍କର ଘରୋଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହି ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ତଥା ଶୃଙ୍ଖଳିତ କରିବା ପାଇଁ ନିୟୋଜିତ କରାଯାଇଛି । ହେଲେ ଏହି ଟ୍ରାଫିକ ଜାମ୍ କୁ ସ୍ଥାନୀୟ ପୋଲିସ ଶୃଙ୍ଖଳିତ କରୁଥିବା ବେଳେ ଉକ୍ତ ନିୟୋଜିତ ଘରୋଇ ସୁରକ୍ଷାକର୍ମୀଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥର ରେ ଦୈନିକ ହେଉଥିବା ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ଥିବା ଘରୋଇ ସୁରକ୍ଷା କର୍ମୀଙ୍କ କାର୍ଯ୍ୟରେ ଅବହେଳା ହେତୁ ଏହି ଟ୍ରାଫିକ ସମସ୍ୟା ଉପୁଜୁଥିବା ଟ୍ରାଫିକ ଜାମ୍ ରେ ଫସି ରହିଥିବା ଯାତ୍ରୀ ଗଣେଶ୍ୱର ମହାକୁଡ, ଶମ୍ଭୁନାଥ ନାଏକ, ବଇନ ନାଏକ, ଲିମାରାଣୀ ବେହେରା ପ୍ରମୁଖ ଅଭିଯୋଗ କରିଥିଲେ । ଜିଲାପାଳ ଏଦିଗରେ ଦୃଷ୍ଟି ଦେବା ପାଇଁ ସେମାନେ ଦାବି କରିଥିଲେ ।