ଟ୍ରାଫିକ ନିୟମକୁ ମାନୁନାହାନ୍ତି ଯୁବ ସମାଜ ଟ୍ରାଫିକ ପୋଷ୍ଟ ନିର୍ମାଣ ସହ ଟ୍ରାଫିକ ପୁଲିସ ମୃତୟନ ସକାଶେ ଦାବି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ସହର ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ମାନ୍ୟତା ପାଇବା ସହ ସେପ୍ଟମ୍ବର ୨୦୧୮ରେ ସ୍ଥାନୀୟ ସହରକୁ ପୌରପରିଷଦର ମାନ୍ୟତା ମିଳିଥିଲା । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହୋଇଥିବା ହିଞ୍ଜିଳିକାଟୁ ସହରରେ ଏଯାବତ୍ ଟ୍ରାଫିକ ପୁଲିସ ମୃତୟନ କରାଯାଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ହିଞ୍ଜିଳିକାଟୁ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବା ବେଳେ ପ୍ରତିଦିନ କିଛି ନା କିଛି ଛୋଟ ବଡ଼ ଦୂର୍ଘଟଣା ମାନ ଘଟୁଥିବାର ନଜିର ରହିଛି । ଅନ୍ୟପଟେ ବିଶେଷ କରି ଯୁବପିଢି ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବାରୁ ସମସ୍ୟାକୁ ଦ୍ୱିଗୁଣିତ କରିଛି । ବିଶେଷ କରି ସହରରେ ବସବାସ କରୁଥିବା କଲେଜ ପାଠୁଆ ପିଲା, ଯୁବକ, ନାବାଳକ ଛାତ୍ର ଛାତ୍ରୀ ଖୋଲାଖୋଲି ଟ୍ରାଫିକ ନିୟମ ଉଲଂଘନ କରୁଥିବା ଅଭିଯୋଗ ହେଉଛି । ବେସରକାରୀ ଭାବେ ଏକ ସର୍ଭେରୁ ଜଣାପଡ଼ିଛି ଯେ, ହିଞ୍ଜିଳିକାଟୁ ଅଂଚଳରେ ଚଳାଚୁଳ କରୁଥିବା ଦୁଇ ଚକିଆ ମୋଟର ସାଇକେଲ ମଧ୍ୟରୁ ପ୍ରାୟ ୨୦ ରୁ ୨୫ ପ୍ରତିଶତ ମୋଟେର ସାଇକେଲ ନାବାଳକ ଛାତ୍ରଛାତ୍ରୀ ଓ କଲେଜ ପଢୁଆ ଶିକ୍ଷାର୍ଥୀ ମାନେ ଚଲାଇଥିବାର ଦେଖିବାକୁ ମିଳୁଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରାଫିକ ନିୟମ ଶତପ୍ରତିଶତ ଉଲଙ୍ଘନ କରୁଥିବା ଅଭିଯୋଗ ହେଉଛି । ବର୍ତମାନ ଯୁବପିଡି ଏନଫିଲ୍ଡ ବୁଲେଟ ଚାଳନା କରିବା ପାଇଁ ଅଧିକ ପସନ୍ଦ କରୁଥିବା ବେଳେ ବଜାରରେ ମଧ୍ୟ ଅଧିକାଂଶ ଯୁବପିଢି ବୁଲେଟ ମୋଟର ସାଇକେଲ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ଅଧିକାଂଶ ଯୁବପିଢି ଚାଳନା କରୁଥିବା ବୁଲେଟ ମୋଟର ସାଇକେଲର ସାଇଲେନ୍ସରକୁ ବଦଳାଇ ଅଧିକ ବିକଟାଳ ଶବ୍ଦ ହେଉଥିବା ସାଇଲେନ୍ସର ବ୍ୟବହାର କରୁଥିବା ଯୋଗୁଁ ସହରରେ ଶବ୍ଦ ପ୍ରଦ୍ୟୁଷଣ ବଢିବାରେ ଲାଗିଛି । ପ୍ରକାଶ ଥାଉକି, ଗତ ୨୦୦୭ ମସିହାରେ ହିଞ୍ଜିଳିକାଟୁ ସହରରେ ଟ୍ରାଫିକ ନିୟନ୍ତ୍ରଣ ସକାଶେ ୨ ଜଣ ଟ୍ରାଫିକ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୧୦ ମସିହାରେ ସ୍ଥାନୀୟ ସହରରେ କାର୍ଯ୍ୟରତ ୨ଜଣ କନେଷ୍ଟବଳ ମଧ୍ୟରୁ ଜଣେ ପଦୋନ୍ନତି ପାଇ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଥିବା ବେଳେ ଗତ ୨୦୧୨ ମସିହାରେ ଅନ୍ୟ ଜଣଙ୍କୁ ପ୍ରତ୍ୟାହାର କରାଯାଇଥିଲା । ସହରରେ ଦିନକୁ ଦିନ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଦୀର୍ଘ ୯ ବର୍ଷ ଧରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଂଚଳରେ ଏଯାବତ୍ କୌଣସି ଟ୍ରାଫିକ ପୋଲିସଙ୍କୁ ନିଯୁକ୍ତି କରାଯାଉନାହିଁ । ଦିନକୁ ଦିନ ସ୍ଥାନୀୟ ସହରାଂଚଳରେ ଗାଡ଼ି ମୋଟର ସଂଖ୍ୟା ହୁ ହୁ ବଢି ଚାଲିଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ନଥିବା ଯୋଗୂୁଁ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ହିଞ୍ଜିଳିକାଟୁ ପୌରାଂଚଳରେ ତୁରନ୍ତ ଟ୍ରାଫିକ ପୋଷ୍ଟ ନିର୍ମାଣ କରିବା ସହ ଟ୍ରାଫିକ ପୋଲିସ ନିଯୁକ୍ତି କରିବା ପାଇଁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।