ଟ୍ରାଫିକ ସମସ୍ୟା ଘେରରେ ପାରଳା ସହର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଟ୍ରାଫିକ ସମସ୍ୟା ଦୈନନ୍ଦିନ ବୃଦ୍ଧିପାଇବାରେ ଲାଗିଛି । ହେଲେ କୌଣସି ସୁଚିନ୍ତିତ ବା ସ୍ଥାୟୀ ଭାବେ ଏହାର ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇପାରୁନି । ପାରଳାଖେମୁଣ୍ଡି ସହର ଅତି ପୁରାତନ ପୌରପରିଷଦ ହୋଇଥିଲେ ହେଁ ଟ୍ରାଫିକ ନିୟନ୍ତ୍ରଣକୁ ନେଇ କୌଣସି ଯୋଜନା ବା ପଦକ୍ଷେପ ନିଆଯାଇନାହିଁ । ଗୋଟିଏ ପଟେ ବେପରୁଆ ଭାବେ ପାର୍କିଂ ଦିନକୁ ଦିନ ବୃଦ୍ଧିପାଉଛି । ସହରର ବଜାର ଛକକୁ ସଂଯୋଗ କରୁଥିବା କରଣସାହି ଦେଇ ଭେଙ୍କେଟେଶ୍ୱର ମନ୍ଦିର ରାସ୍ତା, ସାନିଆ ନାଇଡୁ ସାହି ରାସ୍ତା, କୁମୁଟି ସାହି ରାସ୍ତା ଇତ୍ୟାଦି ରାସ୍ତାରେ ବେପରୁଆ ପାର୍କିଂ ଏବଂ ରାସ୍ତା ଉପରେ ବିଭିନ୍ନ ଉଠା ଦୋକାନୀ ଗୁଡିକ କାୟା ବିସ୍ତାର କରୁଥିବାବେଳେ ଏହି ରାସ୍ତାଦେଇ ଚଲାପଥରେ ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ବିଶେଷ କରି ପୂଜାପର୍ବ ଦିନମାନଙ୍କରେ ଜନଗହଳି ଅଧିକ ରହୁଥିବା ସମୟରେ ଏପରି ବେନିୟମ ପାର୍କିଂ ଯୋଗୁଁ ଲୋକମାନେ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସହରବାସୀ । ଏହି ସମସ୍ୟା ବାରମ୍ବାର ଉପୁଜୁଥିଲେ ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ନିକ୍ଷେପ ଦିଆଯାଉନାହିଁ । ମୁଖ୍ୟ ରାସ୍ତା ଉପରେ ଗହଳି ସମୟରେ ବଡଗାଡି ଗୁଡିକ ପ୍ରବେଶ କରି ଲୋଡିଂ ଓ ଅନଲୋଡିଂ କରିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ସେଠାରେ ଟ୍ରାଫିକ ସମସ୍ୟା ଦେଖାଯାଉଥିଲେ ମଧ୍ୟ ତାର ସମାଧାନ ହୋଇପାରୁନାହିଁ । ମୁଖ୍ୟବଜାର ଛକ ଠାରୁ କଲେଜ ଯିବା ରାସ୍ତା ତଥା ବ୍ୟାଙ୍କ ଅଫ ବରଦା ସମ୍ମୁଖରେ ପୌରପରିଷଦର ପାର୍କିଂ ସ୍ଥଳ ରହିଛି । ହେଲେ ଏହା ସଠିକ ସ୍ଥାନ ହୋଇ ନଥିବାରୁ ମୁଖ୍ୟ ବଜାର କିମ୍ବା ଅନ୍ୟାନ୍ୟ ଦୋକାନମାନକୁ ଆସୁଥିବା ଲୋକେ ସେଠାରେ ଗାଡି ପାର୍କିଂ କରୁନାହାନ୍ତି । ଅନ୍ୟପଟେ ମୁଖ୍ୟ ବଜାର ଛକ ଠାରୁ ରାଜଦାଣ୍ଡକୁ ସଂଯୋଗ କରୁଥିବା ସାନିଆ ନାଇଡୁ ସାହିରେ ବଡ ବଡ ଦୋକାନମାନ ଥିବାରୁ ଏହି ରାସ୍ତା ଦେଇ ଅଧିକ ଯାତାୟତ କରୁଛନ୍ତି । ଏହା ସହ ଏହି ରାସ୍ତାରେ କୁମୁଟିସାହି, ଗଜେନ୍ଦ୍ର ସାହି, ଆରୋଗ୍ୟ ସାହି, ପିନିଣ୍ଟିପାପନା ସାହି ସହ ସଂଯୋଗ ରହିଛି । ଏଥି ଯୋଗୁଁ ଉକ୍ତ ରାସ୍ତାଟି ସଦାସର୍ବଦା ଭିଡ ଜମୁଛି । ଏପରି ସ୍ଥଳେ ଏହି ସାନିଆ ନାଇଡୁ ସାହି ରାସ୍ତାର ମଝି ଭାଗରେ ଦୁଇଚକିଆ ଯାନବାହାନ ପାର୍କିଂ କରାଯାଉଛି । ଯାହାକି ଏକ ଅଜବ ନୀତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଉକ୍ତ ରାସ୍ତା ମଧ୍ୟରେ ଦୁଇଚକିଆ ଗାଡି ରଖାଯିବା ଦ୍ୱାରା ପାଶ୍ୱର୍ ରାସ୍ତା ସଙ୍କୀର୍ଣ୍ଣ ହୋଇପଡୁଛି । ଏପରିସ୍ଥଳେ କିଛି ଅମାନିଆ ଅଟୋରିକ୍ସାଚାଳକ ପଶି ସେଠାରେ ପାର୍କିଂ କରି ଦେଉଛନ୍ତି । ଫଳରେ ଏହି ରାସ୍ତା ଦେଇ ଚାଲି ଚାଲି ଯିବାରେ ମଧ୍ୟ ଅସୁବିଧା ଘଟୁଛି । ଏହାର ସମଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ । ଅନ୍ୟପକ୍ଷରେ ଉକ୍ତ ରାସ୍ତା କିମ୍ବା ଏହାକୁ ସଂଯୋଗ କରୁଥିବା ସାହି ଗୁଡିକରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଯିବାର ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ଏହି ପୁରାତନ ପୌରପରିଷଦ ତଥା ଜିଲ୍ଲା ସଦର ମହକୁମା ହୋଇଥିଲେ ହେଁ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇପାରୁନି । ବହୁ ବର୍ଷ ହେଲା ସହରର ଟ୍ରାଫିକ ବ୍ୟବସ୍ଥାକୁ ନେଇ କୌଣସି ବୈଠକ ବି ହୋଇନାହିଁ । ଇତିମଧ୍ୟରେ ବହୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଥାନା ଅଧିକାରୀ ବଦଳି ହୋଇ ଯାଇଛନ୍ତି । ହେଲେ ଏହି ସମସ୍ୟା ପ୍ରତି କେହି ଗୁରୁତ୍ୱ ଦେଇନାହାନ୍ତି । ବର୍ତ୍ତମାନ ବି ଜିଲ୍ଲା ସଦର ମହକୁମାରେ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ରହିଛନ୍ତି । ଯାତାୟତ ବେଳେ ଏମାନେ ଏହି ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଥିବେ । ହେଲେ କାହାରି ଦୃଷ୍ଟି ନିକ୍ଷେପ ନାହିଁ । ସହରରେ ଦିନକୁ ଦିନ ଜନସଂଖ୍ୟା ସହ ଗାଡି ସଂଖ୍ୟା ମଧ୍ୟ ବଢି ଚାଲିଛି । ହେଲେ ସହର ପ୍ରତି କୌଣସି ସରକାରୀ କିମ୍ବା ରାଜନୈତିକ ନେତାମାନଙ୍କ ଦୃଷ୍ଟି ପଦକ୍ଷେପ ନଥିବାର ଜଣାପଡିଛି ।