ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନମିରା ଗ୍ରାମ ନିକଟସ୍ଥ ରେଳ ଲାଇନରେ ଯାଉଥିବା ଏକ ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତିଙ୍କଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ଶନିବାର ଅପରାହ୍ନ ସମୟରେ ନମିରା ଗ୍ରାମ ମୁଣ୍ଡା ସାହିର ଯୁବକ ବିଦୁ ମୁଣ୍ଡା(୩୦) ଉକ୍ତ ଟ୍ରେନ ଲାଇନକୁ ଯାଇ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଥିଲେ । ମାତ୍ର ପରବର୍ତୀ ସମୟରେ ସେ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହନଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ବିଦୁ ମୁଣ୍ଡାଙ୍କର ପତ୍ନୀ କିଛି ଦିନ ହେବ ତାଙ୍କୁ ଛାଡି ଚାଲିଯାଇଥିବାରୁ ବିଦୁ ମୁଣ୍ଡା ମାନସିକ ଭାବେ ଚାପଗ୍ରସ୍ତ ଥିଲେ । ତେବେ ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା ଯୁବକଙ୍କ ମା ପୋଲିସ ଆଗରେ ପ୍ରକାଶ କରିଥିବା ପୋଲିସ ସୂଚନା ଦେଇଛି ।


