ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ

ଗୋପ (ଯୁଗାଦ୍ଧ ନ୍ୟୁଜ): ଗୋପ ବ୍ଲକର ଅନେକ ପଞ୍ଚାୟତରେ ଏବେ ଗତବର୍ଷ ଅପେକ୍ଷା ଅଧିକ ପଞ୍ଚାୟତରେ ଜଳ ସଂକଟ ଦେଖାଦେଇଛି । ଜଳସ୍ତର ଅଧିକ ମାତ୍ରାରେ କମିଯାଉଥିବାରୁ ଏପରି ପରିସ୍ଥିତି ଉପୁଜିଛି । ଖରାଦିନ ଯୋଗୁଁ ଏବେ ନଦୀଠାରୁ ଆରମ୍ଭ କରି ଗାଡିଆ,ପୋଖରୀ ପର୍ଯ୍ୟନ୍ତ ସବୁଠାରେ ଜଳସ୍ତର କମିଛି ଏବଂ ସ୍ଥାନେ ସ୍ଥାନେ ସଂପୂର୍ଣ ଶୁଖିଗଲାଣି । ଗତବର୍ଷ ଅପେକ୍ଷା ଭୂତଳ ଜଳସ୍ତର କମିଯାଇଥିବାରୁ ଟ୍ୟୁବୱେଲରୁ ପାଣି ବାହାରୁ ନାହିଁ । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ କେତେକ ପଞ୍ଚାୟତରେ ପାଣିଟାଙ୍କିର ବ୍ୟବସ୍ଥା ଅଛି ବା ପାଇପ ଯୋଗେ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯାଉଛି ସେ ମଧ୍ୟ ସଂକଟ ଦେଇ ଗତି କରୁଛି । ବାରମ୍ବାର ଅଭିଯୋଗ ହେବାପରେ କେତେକ ପଞ୍ଚାୟତର ଜଳ ସମସ୍ୟା ଥିବା ଗ୍ରାମଗୁଡିକୁ ଟ୍ୟାଙ୍କର ଯୋଗେ ପାଣି ପଠାଇବା ବ୍ୟବସ୍ଥା କରିଛନ୍ତି । ଗତବର୍ଷ ଗଡଭିଙ୍ଗୁରା, ଗଣେଶ୍ୱର ପୁର, ସିମିଳି, ସୋରଭା, ତରକୋର, ବନଖଣ୍ଡି, ବନ୍ତଳିଗ୍ରାମ, ଅଚ୍ୟୁତପୁର ଭଳି ୮ଟି ପଞ୍ଚାୟତରେ ଟ୍ୟାଙ୍କରରେ ପାଣି ଯୋଗାଣ ହୋଇଥିବାବେଳେ ଏବର୍ଷ ଇତିଭୂଆଁ, ଅଣ୍ଢରା ଇଚ୍ଛାପୁର, ଏରବଙ୍ଗ ପଞ୍ଚାୟତ ଭଳି ଆଉ ତିନିଟି ପଞ୍ଚାୟତକୁ ଅଧିକ ପାଣି ଯୋଗାଇ ଦିଆଯାଉଛି । ପଞ୍ଚାୟତରେ ପାନୀୟ ଜଳର ସୁବ୍ୟବସ୍ଥିତ ନିମନ୍ତେ ପାଣ୍ଠିର ଅଭାବ ନଥିବା ବେଳେ ନିର୍ବାଚିତ ପ୍ରତିନିଧି ମାନଙ୍କର ଆନ୍ତରିକତା ନଥିବା ଯୋଗୁଁ ପାନୀୟ ଜଳ ଯୋଗାଣରେ ସମସ୍ୟା ଦେଖାଦେଇଛି । ଏ ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉର୍ବଶ୍ରୀ ଆଚାର୍ଯ୍ୟଙ୍କ ସହିତ ଯୋଗାଯୋଗ କରିବାରେ ସେ କହିଲେ ଯେ, ଆମେ ପ୍ରତ୍ୟେକ ପଞ୍ଚାୟତ ସହିତ ଯୋଗାଯୋଗ କରି ପାନୀୟ ଜଳ ସମସ୍ୟା ଯେଉଁଠାରେ ଉପୁଜିଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ