ଟ୍ୟାଙ୍କ ଟ୍ରକ ଓନର୍ସ ଅସୋସିଏସନର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଚାରି ଜିଲାର ଟ୍ୟାଙ୍କ ଓ ଟ୍ରକ ମାଲିକଙ୍କୁ ନେଇ ଗଠିତ ‘ଟ୍ୟାଙ୍କ ଟ୍ରକ ଓନର୍ସ ଆସୋସିଏସନ’ର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଦୁର୍ଗା ଗାର୍ଡ଼େନ କଲ୍ୟାଣ ମଣ୍ଡପରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ରାମୋତାର ପ୍ରସାଦ ମୋର ଅଧ୍ୟକ୍ଷତା କରିବା ସହ ପେଟ୍ରୋଲ ଡିଜେଲ ଏମିତିକି କିରୋସିନ ଆଦି ତୈଳ ପରିବହନରେ ଉତ୍ତର ଓଡିଶାର ଟ୍ୟାଙ୍କ ଟ୍ରକ ମାଲିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଲାଭଖୋର ରାଷ୍ଟ୍ରାୟତ ତୈଳ କମ୍ପାନୀମାନଙ୍କ ଦ୍ୱାରା ଟ୍ୟାଙ୍କ ଓ ଟ୍ରକ ମାଲିକମାନେ ପ୍ରତାରିତ ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଥିଲେ । ତୈଳ ଉତ୍ପାଦନ ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟାୟ ଗ୍ରାହକମାନଙ୍କୁ ତୈଳ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ନିଶ୍ଚିତ କମିଶନର ବ୍ୟବସ୍ଥା ଥିବା ବେଳେ ଖର୍ଚ୍ଚ କାଟ ଆଳରେ ଟ୍ୟାଙ୍କ ଓ ଟ୍ରକ ମାଲିକଙ୍କ ଉପରେ ଶୋଷଣ କରାଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ତୈଳ ପରିବହନ କରୁଥିବା ଉତ୍ତର ଓଡ଼ିଶାର ଟ୍ୟାଙ୍କ ଟ୍ରକ ମାଲିକମାନେ ସଂଘବଦ୍ଧ ହୋଇ ହକ ଆଦାୟ ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଦୀର୍ଘ ୩୫ବର୍ଷର ସଂଗଠନକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଟ୍ରକ ମାଲିକଙ୍କ ମଧ୍ୟରେ ଉପୁଜୁଥିବା ସମସ୍ୟା ଆପୋଷ ଆଲୋଚନା ମଧ୍ୟରେ ସମାଧାନ ସହ ସାମୂହିକ ସ୍ୱାର୍ଥରକ୍ଷା ଦିଗରେ ଚେଷ୍ଟା କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ତୈଳ ଡିଲର ଓ ଟ୍ୟାଙ୍କ ଟ୍ରକ ମାଲିକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଦ୍ୱାରା ସବୁ ସମସ୍ୟାର ସମାଧାନ ସମ୍ଭବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ବାଲେଶ୍ୱର ଜୋନ ଉପ-ସଭାପତି ଭକ୍ତରଞ୍ଜନ ପଟ୍ଟନାୟକ ଓ ବାରିପଦା ଆସୋସିଏସନର ସଭାପତି ଓମପ୍ରକାଶ ଅଗ୍ରୱାଲ ଏଥିରେ ଯୋଗଦେଇ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅତ୍ୟାବଶ୍ୟକ ସମାଗ୍ରୀ ଭାବେ ପେଟ୍ରୋଲିୟମ୍ ତୈଳ ଯୋଗାଣରେ ଆସୋସିଏସନର ଅବଦାନ ଓ ସ୍ଥାନୀୟ ପ୍ରଶାସନର ସହଯୋଗ ପାଇଁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ସଂଗଠନର ସମ୍ପାଦକ ପ୍ରଦୀପ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା ସହ ସମ୍ପ୍ରତି ବାଲେଶ୍ୱର ଡିପୋ ଅଧିନରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଟ୍ୟାଙ୍କ ଟ୍ରକ ମାଲିକମାନେ ତୈଳ ପରିବହନ ବ୍ୟବସାୟ ଦ୍ୱାରା ପରିବାର ପ୍ରତିପୋଷଣ କରୁଥିବା ଡିଲରମାନଙ୍କ ଅସହଯୋଗରୁ ସୃଷ୍ଟି ହୋଇଥିବା ଅପ୍ରିତିକର ପରିସ୍ଥିତି ବାସ୍ତବିକ ନିନ୍ଦନୀୟ ବୋଲି ସେ କହିଥିଲେ । ନରେନ୍ଦ୍ର କୁମାର ସ୍ୱାଇଁ, କ୍ଷୀରୋଦ କୁମାର ମଲ୍ଲିକ, ତପନ କୁମାର ସାହ, ଅଜୟ କୁମାର ମହାନ୍ତି, ଶ୍ରୀକୃଷ୍ଣ ସାହୁ, ଭାଗବତ ମହାପାତ୍ର, ଜୟହିନ୍ଦ ଯାଦବ, ସୁବୋଧ ମହାନ୍ତି, ଉତମ କୁମାର ପାତ୍ର, ବସନ୍ତ କୁମାର ମହାନ୍ତି ପ୍ରମୁଖ ଆସୋସିଏସନର ସଦସ୍ୟ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ