ଠକକୁ ଗିରଫ ଦାବି ଜମି ଦେବା ନାମରେ ଠକେଇ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜଧାନୀ ଉପକଣ୍ଠରେ ଜମି ଦେବାକୁ କହି ପୁଣି ଜଣେ ଠକେଇର ଶିକାର ହୋଇଛନ୍ତି । ୧୦୦ଡିସିମିଲ ଜମି ଦେବାକୁ ଅଢ଼େଇ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ଆଇନଜୀବୀ ଶିବାଶୀଷ ମହାପାତ୍ର । ଏନେଇ ଶିବାଶୀଷ ପୁଲିସ କମିସନର ଓ ମାନବ ଅଧିକାର କମିସନରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଠକକୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ଠକ ଜଣକ ଫେରାର ଥିବା ସଫେଇ ଦେଉଛି । ସୂଚନା ଅନୁଯାୟୀ ଲକ୍ଷ୍ମୀସାଗର ଥାନା ଅଧିନ ଝାଡ଼ପଡ଼ା ଅଂଚଳର ଶିବାଶୀଷ ତାଙ୍କ ପୁଅର ଭବିଷ୍ୟତ ପାଇଁ ଏକ ଜମି କିଣି ରଖିବାକୁ ଉଚ୍ଛା କରିଥିଲେ । ତାଙ୍କର ଜଟଣୀ ଥାନା ଅଧିନ ଦେଉଳବସ୍ତ ଗ୍ରାମର ନବୀନ ଚରଣ ପରିଡ଼ାଙ୍କ ସହ ପରିଚିତ ଥିଲା । ନବୀନ ତାଙ୍କର ଅରଗୁଳ ମୌଜାରେ ଖାତା ୨୯୦/୩୦ର ପ୍ଲଟ୍ ନମ୍ବର ୫/୫୬୪ରୁ ୧୦୦ଡିସିମିଲ ଜମି ବିକ୍ରି କରିବାକୁ କହିଥିଲେ । ଶିବାଶୀଷ ଏଥି ପାଇଁ ୨୦୧୦ମସିହାରେ ନବୀନ ଚରଣଙ୍କୁ ବ୍ୟାଙ୍କ ଚେକ୍ ମାଧ୍ୟମରେ ୨ଲକ୍ଷ ଟଙ୍କା ଓ ନଗଦ ୫୦ହଜାର ଟଙ୍କା ଦେଇଥିଲେ । ଏନେଇ ନବୀନ ଚରଣ କୋର୍ଟ ପେପରରେ ଲିଖିତ ଚୁକ୍ତି ମଧ୍ୟ କରିଥିଲେ । ହେଲେ ନବୀନ ଚରଣ ଜମି ବିକ୍ରି ବଦଳରେ ସମୟ ଗଡାଇ ଚାଲିଲେ । ଏପରି ମାସ ବର୍ଷ ବିତି ୧୦ବର୍ଷ ବିତିଗଲା ପରେ ଗତ ଡିସେମ୍ବର ମାସରେ ଶିବାଶୀଷ ଥାନାରେ ଅଭିଯୋଗ କଲେ । ଏହା ପରେ ପୁଲିସ କମିସନର ଓ ମାନବ ଅଧିକାର କମିସନରଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ହେଲେ ଏପରି ମହାଠକକୁ ପୁଲିସ ଧରିପାରିନାହିଁ ବୋଲି ପୁଲିସ ସଫେଇ ଦେଉଛି । ପୁଲିସ ଏହି ଠକକୁ ତୁରନ୍ତ ଗିରଫ କରିବା ସହ ଶୁବାଶୀଷଙ୍କୁ କ୍ଷତି ପୁରଣ ପାଇଁ ଓଡ଼ିଶା ସଚେତନ ପରିଷଦ ଦାବି କରିଛି । ଜମି ଠକେଇ କରିଥିବା ଏପରି ମହାଠକଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ଧାରଣା ଓ ପ୍ରତିବାଦ କରାଯିବ ବୋଲି ଆଇନଜୀବୀମାନେ ଚେତାବନୀ ଦେଇ କହିଛନ୍ତି ।