ଠକେଇ ମାମଲା ୨ ଭାଇ ଙ୍କ ସମେତ ୩ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅଧିନସ୍ଥ ଖଜୁରୀ ପଲ୍ଲୀ ଏବଂ ବି.ତୁରୁବୁଡି ଗ୍ରାମରେ ଲୋକଙ୍କୁ ଲଟେରୀ ନାମରେ ଲୋକଙ୍କୁ ଠକେଇ ମାମଲାରେ ୨ ଭାଇ ଙ୍କ ସମେତ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ବାଲେଶ୍ଵର ଜିଲ୍ଲା ଖଇରା ଥାନା ପୁରୁଷୋତ୍ତମପୁର ଗ୍ରାମର ୨ ଭାଇ ଚନ୍ଦ୍ରଶେଖର ସାହୁ , ପ୍ରଶାନ୍ତ ସାହୁ ଏବଂ ଖନ୍ତାପଡ଼ା ଥାନା ଖନ୍ତାପଡ଼ା ଗ୍ରାମର ସୁଶାନ୍ତ ଦାସ । ଗିରଫ ଯୁବକ ମାନେ ଗତ କିଛିଦିନ ହେଲା ଗ୍ରାମାଞ୍ଚଳ ଲୋକଙ୍କୁ ଟାର୍ଗେଟ କରି ସେମାନଙ୍କ ଠାରୁ ଟଙ୍କା ଲୁଟିବା ଲାଳସାରେ ଏକ ଲଟେରୀ କମ୍ପାନୀ ଖୋଲି ଦାମୀ ଜିନିଷ ଦେବାକୁ କହି ଟଙ୍କା ଲୁଟୁଥିଲେ । ଏପରିକି ପ୍ରଥମେ ଏକ ଲଟେରି ଟିକେଟ ମାତ୍ର ୧ ଶହ ଟଙ୍କାରେ ବିକ୍ରି କରିବା ପରେ ଗ୍ରାହକଙ୍କୁ ଟିକେଟ ସ୍କ୍ରାଚ୍ କରିବାକୁ କହି ସେଥିରେ ଲେଖାଥିବା ଫ୍ଯାନ୍ , ଗ୍ରାଇଣ୍ଡର , ଇଣ୍ଡକ୍ସନ ଚୂଲା ଆଦି ଯେ କୌଣସି ଘରୋଇ ଉପକରଣ ସେହି ଶହେ ଟଙ୍କା ବିନିମୟରେ ତତକ୍ଷଣାତ ଗ୍ରାହକଙ୍କୁ ପ୍ରଦାନ କରି ବିଶ୍ୱାସ ଜନ୍ମାଉଥିଲେ । ଯାହାଫଳରେ ଲୋକେ ଏହି ଠକ ମାନଙ୍କ ଉପରେ ବିଶ୍ୱାସ କରି ବିଭିନ୍ନ ଦାମୀ କମ୍ପାନୀର ବିଜ୍ଞାପନ ପଢ଼ି କମ୍ ଦାମରେ ଏଲସିଡି ଟିଭି , ଓ୍ବାସିଙ୍ଗ ମେସିନ , ଫ୍ରିଜ୍ ଆଦି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ୫ରୁ ୬ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିଲେ । ଏଥିସହ ସେମାନଙ୍କୁ ନଗଦ ରସିଦ ମଧ୍ୟ ଦେଇ ବିଶ୍ୱାସ ଜନ୍ମାଇବା ପରେ ସେମାନଙ୍କ ଗାଡି ଗାଁ ମୁଣ୍ଡରେ ରହିଥିବା ଓ ସଙ୍ଗେସଙ୍ଗେ ଆଣି ଜିନିଷ ଦିଆଯିବ କହି ଗାଁରୁ ଚମ୍ପଟ ମାରୁଥିଲେ । ବି.ତୁରୁବୁଡି ଗ୍ରାମର ମୂରଲୀ ବେହେରା , ଖଜୁରୀ ପଲ୍ଲୀ ଗ୍ରାମର ରାଜଲକ୍ଷ୍ମୀ ନାୟକ , ସହଦେବ ନାୟକ , ଲକ୍ଷ୍ମଣ ଗୌଡ ପ୍ରମୁଖ ଏଭଳି ଠକାମିର ଶିକାର ହେବା ପରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ଥାନା ମାମଲା ନଂ. ୩୦୨/୨୩ ଦଫା – ୪୨୦ ଏବଂ ୩୪ ଆଇପିସି ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ଉକ୍ତ ଲୁଟେରାଙ୍କୁ କାବୁ କରିଥିଲେ। ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଆଇ ଆଇ ସି ଦିପ୍ତିରଞ୍ଜନ ବେହେରା କହିଛନ୍ତି ।