ଠକ ବ୍ୟାଙ୍କ ମ୍ୟାନେଜର ଗିରଫ, ୨.୩ କୋଟି ଠକେଇ ଅଭିଯୋଗ

କଟକ, (ଯୁଗାବ୍ଦ ନ୍ୟୁଜ):ଗିରଫ ହେଲେ ଠକ ବ୍ୟାଙ୍କ ରିଲେସନସିପ ମ୍ୟାନେଜର । କୋଟି କୋଟି ଟଙ୍କା ଠେକେଇ ଘଟଣାରେ ବାନ୍ଧିଲା କ୍ରାଇମବ୍ରାଞ୍ଚ । କଟକର ଜଣେ ମହିଳାଙ୍କଠୁ ୨.୩ କୋଟି ଟଙ୍କା ଠକେଇ ଘଟଣାରେ ଉକ୍ତ ବ୍ୟାଙ୍କର ରିଲେସନସିପ ମ୍ୟାନେଜର କ୍ଷୀରୋଦ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଦେଇଥିବା ସୂଚନା ଅନୁଯାୟୀ, ଅଭିଯୋଗକାରିଣୀଙ୍କ କଟକ ବାଦାମବାଡ଼ି ଅଞ୍ଚଳରେ ଥିବା ଏକ ଘରୋଇ ବ୍ୟାଙ୍କରେ ଦୁଇଟି ଆକାଉଣ୍ଟ ରହିଥିଲା । ହେଲେ ସ୍ୱାମୀଙ୍କ ଦେହାନ୍ତ ପରେ ମହିଳା ତାଙ୍କ ଆକାଉଣ୍ଟକୁ ମିଶାଇ ନିଜ ନାଁରେ ଗୋଟିଏ ଆକାଉଣ୍ଟ କରିବା ପାଇଁ ବ୍ୟାଙ୍କ ଯାଇଥିଲେ । ହେଲେ ଏହି ସମୟରେ ରିଲେସନସିପ ମ୍ୟାନେଜର ଚତୁରତାର ସହ ଉକ୍ତ ମହିଳାଙ୍କୁ କଥାରେ ଫସାଇ ମୋବାଇଲ ନମ୍ବର ପରିବର୍ତ୍ତନ କରିବା ସହ ବିଭିନ୍ନ ସମୟରେ ଦସ୍ତଖତ ମଧ୍ୟ କରାଇଥିଲେ । ଯାହା ଫଳରେ ବ୍ୟାଙ୍କରେ ଜମା ରାଶି ସମ୍ପର୍କରେ ଅବଗତ ହୋଇପାରୁନଥିଲେ ମହିଳା । ଏହାର ସୁଯୋଗ ନେଇ ଜମା ରାଶିରୁ ବାରମ୍ବାର ଟଙ୍କା ଉଠାଇ କୋଟି କୋଟି ଟଙ୍କା ହଡ଼ପ କରିଥିଲେ ରିଲେସନସିପ ମ୍ୟାନେଜର କ୍ଷୀରୋଦ । ଗିରଫ ସମୟରେ ଅଭିଯୁକ୍ତ ଆକାଉଣ୍ଟରେ ଥିବା ୨୦ଲକ୍ଷ ଟଙ୍କା ଫ୍ରିଜ କରାଯାଇଥିବା ବେଳେ ୩୨ଟି ଏଟିଏମ୍‌ କାର୍ଡ, ୫ଟି ପାସ୍‌ବୁକ୍‌, ୩୭ଟି ଚେକ୍‌ ବୁକ୍‌, ୨ ମୋବାଇଲ ଫୋନ୍‌, ସିମ୍‌କାର୍ଡ, ଲାପ୍‌ଟପ୍‌ ଓ ଦସ୍ତଖତ ଥିବା ଚେକ୍‌ ଜବତ କରାଯାଇଛି । ଅଭିଯୁକ୍ତ ଜଣକ ବିଭିନ୍ନ ଘନିଷ୍ଠ ଲୋକଙ୍କ ନାମରେ କୋଟିଏ ଟଙ୍କାରୁ ଅଧିକ ବୀମା କ୍ରୟ କରିଥିବା ତଦନ୍ତରୁ ଜଣାପଡିଛି । ଏହାପରେ ମହିଳା ଜଣଙ୍କ ବ୍ୟାଙ୍କରେ ଜମାରାଶି ବିବରଣୀ ପାଇବା ପାଇଁ ଯିବା ସମୟରେ ଆକାଉଣ୍ଟରୁ ୨.୩ କୋଟି ଟଙ୍କା ଉଠିଥିବା ଜାଣିବାକୁ ପାଇଥିଲେ । ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣକ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ । କ୍ରାଇମ୍‌ବାଞ୍ଚର ସାଇବର ସେଲ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଉକ୍ତ ବ୍ୟାଙ୍କ କର୍ମଚାରୀ କ୍ଷୀରୋଦ କୁମାର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଏହିସହ ମାମଲାର ଅଧିକ ତଦନ୍ତ ଜାରି ରିଖିଛି କ୍ରାଇମବ୍ରାଞ୍ଚ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ