ଠାକୁର ଅନୁକୂଳଚନ୍ଦ୍ରଙ୍କ ନବନିର୍ମିତ ସତସଙ୍ଗ ମନ୍ଦିରର ପ୍ରତିଷ୍ଠା
ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଠ ସମାଜ ସଂସ୍କାରକ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ନବନିର୍ମିତ ସତସଙ୍ଗ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ୧୩୫ତମ ଆବିର୍ଭାବ ମହୋତ୍ସବ ପାଳନ ଅବସରରେ ଆୟୋଜିତ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରପୌତ୍ର ଅନିନ୍ଦ୍ୟ ଦ୍ୱିତୀ ଚକ୍ରବର୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଂସ୍କାରଯୁକ୍ତ ପରିବାର ଗଠନ ଓ ସମାଜ ନିର୍ମାଣରେ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ନୀତି ଆଦର୍ଶର ଅବଦାନ ସମ୍ପର୍କରେ ସେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦବୋଧନ ଦେଇଥିଲେ । ମନ୍ଦିର ପ୍ରତିଷ୍ଠା ଓ ଶ୍ରୀ ଶ୍ରୀ ଠାକୁରଙ୍କ ୧୩୫ତମ ଆବିର୍ଭାବ ମହୋତ୍ସବ ପାଳନ ଅବସରରେ ପ୍ରାତଃ କାଳରୁ ଉଷାକୀର୍ତ୍ତନ, ସମବେତ ବିନତୀ ପ୍ରାର୍ଥନା, ସ୍ୱସ୍ତି ମହାଯଜ୍ଞ, ନଗତ କୀର୍ତନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ସେହିପରି ସନ୍ଧ୍ୟାରେ ପାଲା ପରିବେଷଣ ସହ ଭଜନ କୀର୍ତନ, ସାନ୍ଧ୍ୟ ବିନତୀ ପ୍ରାର୍ଥନା, ଆତସବାଜି ଓ ବିଚିତ୍ରାନୁଷ୍ଠାନ ପ୍ରଭୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରାଜ୍ୟର ବିଭିନ୍ନ ଅଂଚଳରୁ ୩୦ ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଏହି ଉତ୍ସବରେ ଯୋଗ ଦେଇଥିଲେ ବୋଲି ସତସଙ୍ଗ କେନ୍ଦ୍ର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ।