ଠିକାଦାରଙ୍କ ଅବରୋଧରେ ଆନ୍ଧ୍ରରେ ଫସିଛନ୍ତି ୧୫ ମହିଳା ଶ୍ରମିକ, ଭିଟାମାଟିକୁ ଫେରିବା ପାଇଁ ଆକୁଳ ନିବେଦନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଓ ରାୟଗଡା ଜିଲ୍ଲାର ୧୫ଜଣ ମହିଳା ଶ୍ରମିକ ଆନ୍ଧ୍ରରେ ଫସି ରହିଥିବା ସୁଚନା ମିଳିଛି । ଆନ୍ଧ୍ର ଠିକାଦାର ସେମାନଙ୍କୁ ସେଠାରୁ ଛାଡୁ ନ ଥିବା ଯୋଗୁଁ ନିଜ ଭିଟାମାଟିକୁ ଏମାନେ ଆସିପାରୁ ନାହାଁନ୍ତି । ଜିଲ୍ଲା ପ୍ରଶାସନ ତଥା ଓଡିଶା ସରକାର ଭିଟାମାଟିକୁ ଫେରି ଆସିବା ପାଇଁ ସାହାର୍ଯ୍ୟ କରନ୍ତୁ ବୋଲି ଏହି ୧୫ଜଣ ମହିଳା ଶ୍ରମିକ ଆକୁଳ ନିବେଦନ କରିଛନ୍ତି । ଘଟଣାରୁ ପ୍ରକାଶ ଗତ ୫ ମାସ ତଳେ ଆନ୍ଧ୍ରପ୍ରଦେଶର ଏକ ସି ଫୁଡ କମ୍ପାନୀର ଠିକାଦାର ଏରାୟାଙ୍କ ସ୍ତ୍ରୀ ଆସି ଗଜପତି ଜିଲ୍ଲାରୁ ୨ଜଣ ଓ ରାୟଗଡା ଜିଲ୍ଲାରୁ ୧୩ଜଣ ମୋଟ ୧୫ ଜଣ ମହିଳାଙ୍କୁ କାର୍ଯ୍ୟରେ ଲଗାଇବା ପାଇଁ ନେଇଥିଲେ । ସେମାନେ ଦୈନିକ ୮ଘଣ୍ଟା କାର୍ଯ୍ୟ କରି ମାସିକ ୭ହଜାର ଟଙ୍କା ପାରିଶ୍ରମିକ ପାଉଥିଲେ । ସବୁଦିନ ପଖୋରୀରୁ ଧରାଯାଇଥିବା ଚିଙ୍ଗୁଡି ପେକିଙ୍ଗ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଶ୍ରମିକ ମାନେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରି ଜିଲ୍ଲା ଅନ୍ତର୍ଗତ ବୁଡାରାଇଡୁ ଚେରୁବୁ ଗ୍ରାମରେ କାର୍ଯ୍ୟରତ ଥିଲେ । କରୋନା ଯୋଗୁଁ ଲକ୍‌ଡାଉନ୍ ଓ ବିଭିନ୍ନ ଭୟାଭୟକୁ ନେଇ ଏମାନେ ନିଜ ଗ୍ରାମକୁ ଫେରିବା ପାଇଁ ବହୁ ଥର ସଂପୃକ୍ତ ଠିକାଦାରଙ୍କୁ ନିବେଦନ କରିଛନ୍ତି । ହେଲେ ସଂପୃକ୍ତ ଠିକାଦାର ମହିଳା ମାନଙ୍କୁ ନିଜ ଭିଟାମାଟିକୁ ଫେରିବା ପାଇଁ କୌଣସି ସୁଯୋଗ ଦେଉ ନାହାଁନ୍ତି ଏବଂ ଗେଟ୍ ପାସ ବ୍ୟବସ୍ଥା ମଧ୍ୟ କରୁ ନାହାଁନ୍ତି । ତେଣୁ ଏହି ମହିଳାମାନେ ସେଠାରେ ବିଭିନ୍ନ ସମସ୍ୟା ଓ ଅସୁବିଧା ମଧ୍ୟରେ ଗତି କରୁଛନ୍ତି । ଫସି ରହିଥିବା ୧୫ଜଣଙ୍କ ମଧ୍ୟରୁ ଗଜପତି ଜିଲ୍ଲା ଗୁମ୍ମା ଅଞ୍ଚଳର ୨ଜଣ ହେଲେ ମିଲି ଭୁୟାଁ ଓ ଲକ୍ଷ୍ମୀ ଶବର ଏବଂ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ବନିତା ଶବର,ଶାନ୍ତିମା ଶବର,ମାଜିଲି ଶବର,ଦାନିଶ୍ମୀତା ଶବର ପ୍ରମୁଖ ଆମ ପ୍ରତିନିଧିଙ୍କ ସହ ମୋବାଇଲ ଯୋଗେ ଏହି ସବୁ ଘଟଣା ବର୍ଣ୍ଣନା କରିବା ସହ ଆନ୍ଧ୍ରରୁ ଏମାନଙ୍କ ଘରକୁ ଫେରାଇ ନେବା ପାଇଁ ଗଜପତି ଓ ରାୟଗଡ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ