ଠିକାଦାରଙ୍କ ଠାରୁ ବଟି ଆଦାୟ ଘଟଣା କୋର୍ଟ ଚାଲାଣ
ନାଉଗାଁ :ପୂର୍ତ ବିଭାଗ ଅଧିନ କୋକିଢିଅ-ତେଲସରା ରାସ୍ତା କାର୍ଯ୍ୟ ଚାଲୁ ଥିବା ବେଳେ ଜୈନିକ ଯୁବକ ଜୋରଜବରଦସ୍ତି ବଟି ଆଦାୟ କରୁଥିବାକୁ ନେଇ ରବିବାର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଉକ୍ତ ଅଭିଯୋଗକୁ ଭିତି କରି ନାଉଗାଁ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମିହିର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଥାନା ଅଧିନ ନାଉଗାଁ ପଂଚାୟତ ନୁନ୍ଗୋସାହିର ଅଶୋକ କୁମାର ମହାନ୍ତି କୋରୁଅ ପଂଚାୟତ ଧୂଆଁପଦା ଠାରେ ଶନିବାର ରାସ୍ତା କାର୍ଯ୍ୟ କରୁଥିଲେ । ଏହି ସମୟରେ ଉକ୍ତ ଗ୍ରାମର ମିହିର ସ୍ୱାଇଁ (ମିହିନ) ଓ ଅନ୍ୟ ଜଣେ ମଟର ସାଇକେଲରେ ରାସ୍ତା କାର୍ଯ୍ୟ ନିକଟକୁ ଆସି ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିଲେ । ଫଳରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଭୟରେ କାମ ଛାଡି ପଳାଇ ଯାଇଥିଲେ । ଯିଏ କାମ କରିବ ତାକୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ଦୀର୍ଘ ଦୁଇ ଘଂଟା କାଳ ରାସ୍ତା କାର୍ଯ୍ୟ ବନ୍ଦ ରଖାଯାଇଥିଲା । ପରେ ଶ୍ରୀ ମହାନ୍ତି ସେମାନଙ୍କୁ କାମ କରିବାକୁ ଅନୁରୋଧ କରିବା ସତ୍ୱେ ସେମାନେ କର୍ଣ୍ଣପାତ କରି ନଥିଲେ । ପରେ ଆଠ ହଜାର ଟଙ୍କା ନେବା ପରେ ରାସ୍ତା କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । କେବଳ ତାଙ୍କ ଠାରୁ ନୁହେଁ ଏହି ରାସ୍ତାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ଅଧିକାଂଶ ଲୋକଙ୍କ ଠାରୁ ସେମାନେ ଧମକ ଦେଇ ବଟି ଆଦାୟ କରୁଥିବା ଶ୍ରୀ ମହାନ୍ତି ଅଭିଯୋଗରେ ଦର୍ଶାଇଥିଲେ । ନାଉଗାଁ ଥାନା ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏକ ମାମଲା ୪୭/୨୦୨୦ରେ ରୁଜୁ କରାଯାଇ ମିହିର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।