ଠିକାଦାରଙ୍କ ଦ୍ୱାରା ସରକାରୀ ଜମିରୁ ବେଆଇନ ମାଟି ଚାଲାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଅଧିବାସୀମାନେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଏରା-କଣିପଡା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର.ଡି.)ଭାୟା କହ୍ନେଇପୁର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଅଛି । ସଂପୃକ୍ତ ରାସ୍ତାର ଠିକାଦାର କେତେକ ଗୁଣ୍ଡା ଓ ଅସାମାଜିକ ଲୋକଙ୍କ ସହାୟତାରେ କହ୍ନେଇପୁର ଗ୍ରାମରେ ଥିବା ସରଲାରୀ ଅନାବାଦୀ, ଗୋଚର, ଗ୍ରାମ୍ୟ ଜଙ୍ଗଲ ଓ ଖେଳପଡିଆ କିଷମ ଥିବା ଜମିରୁ ବେଆଇନ ଏବଂ ଜୋର ଜବରଦସ୍ତି ଭାବେ ଖୋଳି ମାଟି ଉଠାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତବାସୀମାନେ ଏଭଳି କାର୍ଯ୍ୟର ବିରୋଧ କରିବାରେ ସଂପୃକ୍ତ ଠିକାଦାର ସେମାନଙ୍କୁ ଧମକାଇ ଚମକ ଦେଉଥିବା ଅଭିଯୋଗ ହୋଇଛି । ସେହି ରାସ୍ତା ନିର୍ମାଣ ସମ୍ପର୍କିତ କୈାଣସି ସୂଚନା ଫଳକ ଏଯାଏ ଲଗାଯାଇ ନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଏରା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଏବଂ କେନ୍ଦ୍ରାପଡା ତହସିଲଦାରଙ୍କୁ ଜଣାଇ ଦିଆଯାଇଥିଲେବି ଏଭଳି ବେଆଇନ କାର୍ଯ୍ୟ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେହି ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ମାଟି ବେଆଇନ ଭାବେ ଉଠାଯାଇ ରାଜସ୍ୱ ହାନୀ ସହିତ ସ୍ଥାନୀୟ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ ହେଉଥିବାରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ରଞ୍ଜନ କୁମାର ବେହେରା, ନରହରୀ ବେହେରା, ପ୍ରଦୀପ ବେହେରା, ମହେନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ବେହେରା, ବଳରାମ ବେହେରା, ଭୀମସେନ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ନକଲ କେନ୍ଦ୍ରାପଡା ଆରକ୍ଷି ଅଧିକ୍ଷକ, ଗ୍ରାମ୍ୟ ଉନ୍ନୟନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ, ତହସିଲଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି ।


