ଠିକାଦାରଙ୍କ ମନମାନି, ଅଧାପନ୍ତରିଆ ରାସ୍ତାକୁ ନେଇ ବଢ଼ୁଛି ଦୁର୍ଘଟଣା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ସୋସୋ ରାସ୍ତା ନିର୍ମାଣରେ ଠିକାଦାରଙ୍କ ମନମାନି ଯୋଗୁଁ ଲୋକମାନେ ନାନା ସମସ୍ୟା ଭୋଗ କରୁଛନ୍ତି । ଠିକାଦାର ଅଧାପନ୍ତରିଆ ଭାବେ ରାସ୍ତାକୁ ପକାଇ ଦେଇଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି । ଏହାକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ରାସ୍ତାଟି ପୁର୍ତ୍ତ ବିଭାଗ ଅଧିନରେ ଥିବାବେଳେ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଏନେଇ ଦୃଷ୍ଟି ଦେଉ ନାହାନ୍ତି । ଏହି ରାସ୍ତାର ସୋସୋ ଓ ଢ଼େଙ୍କା ଠାରେ ଠିକାଦାର ରାସ୍ତା କାମକୁ ଅଧାପନ୍ତରିଆ କରି ପକାଇ ଦେଇଛି । ଢ଼େଙ୍କା ବଜାର ପ୍ରାରମ୍ଭରେ ଏକ ୧୦ଫୁଟ ଲମ୍ବ ଓ ୧୦ଇଞ୍ଚ ଉଚ୍ଚତାର କଂକ୍ରିଟ ପକାଇଦେଇ କାମ ବନ୍ଦ କରିଦେଇଥିବାରୁ ରାତିରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି । ଏହି କଂକ୍ରିଟ ଚାରିପାଖେ କୌଣସି ସୁଚନା ବାଡା ଦିଆଯାଇ ନଥିବାରୁ କମ ଆଲୋକ ଓ ଅନ୍ଧାରରେ ଯିବଆ ଅ୍ରାସିବା କରୁଥିବା ସାଇକେଲ ଓ ବାଇକ ଆରୋହୀମାନେ ଧକ୍କା ଖାଇ ଆହତ ହେଉଛନ୍ତି । ଗତକାଲି ସନ୍ଧ୍ୟାରେ ଜଣେ ବାଇକ ଆରୋହୀ ଏଠାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସେହିପରି ସୋସୋ ବସଷ୍ଟାଣ୍ଡ ଛକରେ ମଧ୍ୟ ଆଜକୁ ମାସେ ହେଲା ଅଧାନ୍ତରିଆ କରି ପକାଇ ଦେଇଥିବାରୁ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ମୁହଁ ଖୋଲୁ ନଥିବାବେଳେ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


